କାୟା କାଗଜ କୋହ
କାୟା କାଗଜ କୋହ
ଚିରା କାଗଜ ଖଣ୍ଡେ ମୁଁ ପୁରୁଣା ଖାତାର
ଦେଖନା ଅଜଣା ପରି
ବୁଝି ବି ପାରେନା, କେଜାଣି କାହିଁକି
ଖୋଜୁ ନାହଁ ଆଗ ପରି ।
ଦିନେ ଥିଲି ତୁମ ମନର କାହାଣୀ
ହୃଦୟର ଗୀତିକଥା,
ଝର କଲମର ଗୁମର ବାରତା
ମିଠା ସପନ ର ବ୍ୟଥା ।
ଅନିଦ୍ରା ପ୍ରହର ନିଦ ବିଛଣାରେ
ତକିଆ ଉପରେ ଛାତି
କେତେ କଥା କେତେ ଅକୁହା ଆବେଗ
ଘନୀଭୂତ ଅନୁଭୂତି ।
କେତେ ନୂଆ ରାଗ ଶବ୍ଦ ଭାବ ଛନ୍ଦ
କ୍ଷଣକେ ପସନ୍ଦ ଲାଗେ
ଆନ ମୁହୂର୍ତ୍ତ ରେ ଅଡୁଆ ସୂତାର
ଆଖୋଜା ଖିଅକୁ ଖୋଜେ ।
କେବେ ଚିରି ଦିଅ ,ମୋଡ଼ି ଫିଙ୍ଗି ଦିଅ
ପୁଣି କେବେ ଅସଜଡ଼ା
ଅବହେଳିତ ସେ ଉତ୍କଣ୍ଠା ସମୂହ
କ୍ଷଣିକ ଆବେଗେ ଜଡ଼ା ।
କେତେ ମୁଁ ଦେଖିଛି ମନ ତଳେ ତୁମ
ଯେତେ ଅମାନିଆ କୋହ
ଲେଖିଛ ମୋ ଦେହେ ଯାତନା ଅକୁହା
ଆଖିର ଆବୁହା ଲୁହ ।
ହସ ଖୁସି ଭାଷା କେବେ ରାଗ ରୁଷା
ଅବ୍ୟକ୍ତ କଥା ଯେତେକ
ଅକ୍ଷରେ ଲେଖିଛ ବକ୍ଷରେ ମୋହର
ସ୍ବାକ୍ଷର, ଚରିତ୍ର ଚିତ୍ର ।
ଆଜିବି ଶୁଖିନି ତଥାପି ଦିଶୁନି
ଝରୁଛି ରକତ ସୁଅ
ଅବହେଳିତ ଏ ଅନ୍ତିମ ପ୍ରହରେ
କାୟା କାଗଜର ମୋହ ।
