କାଉ କୋଇଲି କଳି
କାଉ କୋଇଲି କଳି


କାଉ କୋଇଲି ଦିନେ ଲାଗିଲେ କଳି,
କହିଲେ କିଏ ସେ କାହାଠାରୁ ବଳି ?
କୋଇଲି କହେ ମୋ କଣ୍ଠ ମଧୁର,
ଶୁଣି ପଥିକର ବିଷାଦ ଦୂର ।
ବସନ୍ତରେ ମୃଦୁ ମଳୟ ବହଇ,
ସଭିଙ୍କୁ ମୋ ସ୍ୱର ମଧୁର ଲାଗଇ ।
ଦିନସାରା ତୁ କାଁ କାଁ କରୁ ଯେ ଥାଉ,
କର୍କଶ ସ୍ୱରରେ ସଭିଙ୍କୁ ଚିଡାଉ।
କୋଇଲିର କଥା ଶୁଣି କାଉ କହଇ,
କେତେ ଉପକାରୀ ତୁ ଜାଣିବୁ କାହିଁ?
ସକାଳୁ ସଭିଙ୍କୁ ମୁଁ ଉଠାଇ ଥାଏ,
ପରିବେଶ ସ୍ୱଚ୍ଛତା ମୋ ଯୋଗୁଁ ହୁଏ ।
ଏ ପିଢାରୁ ସେପିଢା ଉଡି ବୁଲଇ,
ଅତିଥି ଆଗମନ ଦିଏ ସୂଚାଇ ।
ସରାଗରେ ଅଣ୍ଡା ମୋ ବସାରେ ଦେଉ,
ତଥାପି ମୋ ସାଥେ କଳି ଯେ ହେଉ।
ଏକ ଭଳି ରଙ୍ଗ ଆମ ଦୁହିଁଙ୍କର,
ମିଳିମିଶି ଚଳିବା ନଭାବି ପର।
କାଉର ବିଚାର କୋଇଲି ବୁଝିଲା,
ରାଗ ରୁଷା ଭୁଲି କୋଳାଗ୍ରତ କଲା ।