କାଶତଣ୍ଡୀର ହସ
କାଶତଣ୍ଡୀର ହସ
ହସୁଥିଲା ଦିନେ କାଶତଣ୍ଡୀ ମନେ
ଶରତର ପରଶରେ
ଶୁଭ୍ର ଢେ଼ଉ ଦୋଳି ଦୋଳାୟିତ ହୋଇ
ଆନନ୍ଦ ଉନ୍ମାଦ ଭରେ ।
ଆଜି ସେ ହସୁଛି ବାହୁନି କାନ୍ଦୁଛି
ବଂଶ ତା' ହେଲାଣି ଲୋପ
ଦୁଃଖ ଭରା ହସ ଦେଖି ଏ ମନୁଷ୍ୟ
କରୁନାହିଁ ଅନୁତାପ ।
ନଦୀ ପଠା ଏଠି ଚାଷ ହୋଇଲାଣି
ପ୍ରାନ୍ତରେ ଯୋଜନା ମାନ
ବଂଶ ବୃଦ୍ଧି ପାଇଁ ଜାଗା ପାଏ ନାହିଁ
କାନ୍ଦୁଛି ତା'ର ପରାଣ ।
ହଜି ହଜି ଯାଏ ପୂର୍ବ ସ୍ମୃତି ହାଏ
ସର୍ବେ ସ୍ଵାର୍ଥେ ଅନ୍ଧ ହୋଇ
ପ୍ରାନ୍ତର ଗୋଚର ପଠା ନଦୀ କୂଳ
ଗଲାଣି ସପନେ ରହି ।
ଫୁଟୁ ନାହିଁ କଇଁ ଗାଆଁ ପୋଖରୀରେ
ଅସଣା କରିଛି ଦଳ
ଢେ଼ଉ ଭାଙ୍ଗୁନାହିଁ କାଶତଣ୍ଡୀ ଏଠି
ଦେଖ କାରଖାନା ମାଳ ।
କାଁ ଭାଁ ଏଠି ଦେଖୁଥାଏ ଆଖି
କାଶତଣ୍ଡୀର ଆସର
ଦାନ୍ତକୁ ନିକୁଟି ହସେ କାଶତଣ୍ଡୀ
ଝୁରେ ତାର ପରିବାର ।
କଳ୍ପନା ଯାମିନୀ କବିର ସୃଜନୀ
ମନ ଆଇନାରେ ରଖି
ଭରିଦିଏ ରଙ୍ଗ କବିତାର ଅଙ୍ଗ
ଯାହା ନ ଦେଖେ ତା' ଆଖି ।