କାଶତଣ୍ଡୀ ଦେଇଛି ରାଣ
କାଶତଣ୍ଡୀ ଦେଇଛି ରାଣ
ଯାହାବି ଲେଖ କବି ଲେଖକ
ମୁଁ ମନା କରୁ ନାହିଁ,
ହେଲେ ଶରତ ଶୀର୍ଷକ ନେଇ
କବିତା ଲେଖ କାହିଁ?
ଯଦି ଲେଖୁଛ ଶରତ ଋତୁ
ଶୀର୍ଷକ କବିତାଟି,
ଦୟା ପୂର୍ବକ ଯେ କାଶତଣ୍ଡୀ
ଶବ୍ଦକୁ ଦିଅ କାଟି।
ଏ କାଶତଣ୍ଡୀ ଶବ୍ଦ ଦେଖିକି
ଅରୁଚି ଲାଗିଲାଣି,
କବିମାନଙ୍କ ଲେଖନୀ ମୁନେ
ଘାଇଲା ହୋଇଲିଣି।
କୌଣସି କବି ଛାଡ଼ୁ ନାହାଁନ୍ତି
କାଶତଣ୍ଡୀର ନାଆଁ,
ଲେଖା ଭିତରେ କାଇଦା କରି
ଯୋଡିଦିଅନ୍ତି ଯାହା।
ସତେ ଯେମିତି କାଶତଣ୍ଡୀଟି
ତର୍କାରୀ ପାଇଁ ଲୁଣ,
ମୋ ବିନା ବୋଧେ ଲେଖା ଅଲଣା
କରୁଛି ଅନୁମାନ।
ତେଣୁ ମୁଁ ରାଣ ଦେଉଛି ଜାଣ
କବି ଲେଖକ ଶୁଣ,
କାଶତଣ୍ଡୀକୁ ଛାଡ଼ି ବିକଳ୍ପ
ଶବ୍ଦ ଖୋଜିକି ଆଣ।
ପ୍ରଥମେ ଧନ୍ୟ ହେଉଥିଲି ମୁଁ
ଲାଗୁଥିଲା ତ ଭଲ,
ଏବେ ଯେ ଆଉ ଭଲ ଲାଗୁନି
ଲାଗୁଛି ଗଲଗଲ।
ଏମିତି କେଉଁ କବିଟି ନାହିଁ
ଯେ କାଶତଣ୍ଡୀ ଛାଡି,
ଶରତ ଋତୁ କବିତା ଲେଖି
ପାରେ ଲେଖନୀ ଧରି।
ସେ ନଈପଠା ସେ କାଶତଣ୍ଡୀ
ଭୁଲୁନିଁ କବିଟିଏ,
ହଠାତ୍ କବି କି ବିଖ୍ୟାତ କବି
ଜଣେ ବି ନାହିଁ କିଏ।
ମୋବିନା କ'ଣ ଅନ୍ଯ ଶବ୍ଦରେ
କବିତା ହେବ ନାହିଁ,
ନା କାଶତଣ୍ଡୀ ବ୍ଯତୀତ କିଛି
ଫୁଲ କି ଫୁଟୁ ନାହିଁ?
ଦୁର୍ଗା କବିତା ଲେଖୁଛ ଯଦି
ଲାଗୁଛି କାଶତଣ୍ଡୀ ,
କାଳୀ କବିତା ଲେଖୁଛ ଯଦି
ଲାଗୁଛି କାଶତଣ୍ଡୀ ।
ଶରତ ପାଇଁ ଲେଖୁଛ ଯଦି
ଲାଗୁଛି କାଶତଣ୍ଡୀ,
ହେମନ୍ତ ପାଇଁ ଲେଖୁଛ ଯଦି
ଲାଗୁଛି କାଶତଣ୍ଡୀ ।
ମୋ ନାମଗୁଣ ପ୍ରଶଂସାଗାନ
ସହି ପାରୁନି ଆଉ,
ଦେହେ ଖେଳିବେ ଦଶି ପୋକ ଯେ
ସେତିକି ମିଠା ଥାଉ।
ନାହିଁ ମୋଠାରେ ବାସ ସୁଗନ୍ଧ
ଉଡେନି ପ୍ରଜାପତି,
କେଉଁଥିପାଇଁ କବି ମୋଠାରେ
ଲଗାଅ ଭାବ ପ୍ରୀତି?
କିଏ କହୁଛି ମୁଁ ରୂପା ଦେହୀ
ଗହୀର ପାଟରାଣୀ,
କିଏ କହୁଛି ନୂଆ ଅଶିଣେ
ମୁଁ କାଳେ ଭାବ ମଣି।
କିଏ କହୁଛି ମୁଁ ଶୁଭ୍ରବସ୍ତ୍ରା,
କେ କହେ ଶୁଭ୍ରକେଶୀ,
କେକହେ ମୋତେ ମୁଁ କୁଆଡେ
ଚାମର ବିଞ୍ଚୁଅଛି।
କିଏ କହୁଛ ଶୁଭ୍ର ଲହଡ଼ା
ମୋ ଢେଉ ମନ କିଣା,
କିଏ କହୁଛି ମୋ ପାଇଁ ଏଠି
ସଭିଏଁ ଆନମନା।
କିଏ ବି କହେ ଦେବୀ ଆଗମେ
କାଶତଣ୍ଡୀ ଯେ ଫୁଟେ,
ପୂଜା ପରବ ସୁଖ ଦରବ
ହସ ଓ ଖୁସି ବାଣ୍ଟେ।
ତଥାପି ନଈ ପଠା କି ଭୂଇଁ
ବିଲ ଗହୀର ଡେଇଁ,
ଅଳସ ଭାଙ୍ଗେ ମୁଁ କାଶତଣ୍ଡୀ
ମନ କିଣିବା ପାଇଁ ।
ଶୁଭ୍ର ନିର୍ମଳ ଶୋଭାଟି ମୋର
ଦେଉଛି ଏଇ ଶିକ୍ଷା,
ମଇଳା ଫିଙ୍ଗି ମନକୁ ନିତି
ରଖ ପବିତ୍ର ସଫା।
ତେଣୁ କବିଟି ପାଗଳ ହୋଇ
କବିତା ଲେଖୁଅଛି,
କାଶତଣ୍ଡୀର ଭରା ଯୌବନେ
ସାଜି ସେ ମହୁମାଛି।
କାଶତଣ୍ଡୀ କି ଝରା ଶେଫାଳୀ
କିବା ଗୋଲାପ କଇଁ,
ଏସବୁ ଫୁଲ ସହ କବିର
ସମ୍ପର୍କ ଅଛି ରହି।
ଜହ୍ନ କଇଁର ସମ୍ପର୍କ ଭଳି
ଶରତ କାଶତଣ୍ଡୀ,
ସେମିତି କବି ଲେଖନୀ ଆଉ
ଚୁଲି ସହିତ ହାଣ୍ଡି।