STORYMIRROR

Jayashree Das

Classics

4  

Jayashree Das

Classics

କାର୍ତ୍ତିକ ପୂର୍ଣ୍ଣିମାରେ

କାର୍ତ୍ତିକ ପୂର୍ଣ୍ଣିମାରେ

1 min
346


ଗଗନେ ଚନ୍ଦ୍ରିକା ଅମଳିନ ଅଛି,

ପ୍ରାଚୀ ଦିଗେ ନାହିଁ ଅରୁଣ ବିଭା,

ଯାମିନୀ ସରିନି ଓଢଣୀ ଖୋଲିନି,

ପୂର୍ବ ଦିଗେ ନାହିଁ ସିନ୍ଦୂରି ଆଭା


ସୂରୁଜ ହସିନି ସୁମନ ଫୁଟିନି,

ଝରୁଛି ଶିଶିର ପତ୍ର ଗହଳୁ,

ଅସ୍ତ ମାନ ଶଶୀ ଜୋଛନା ଝରଇ,

ଶୁଭୁଛି ଗହଳି ତଟିନୀ କୂଳୁ


ସାଙ୍ଗସାଥି ମେଳେ ତରୁଣୀ କିଶୋରୀ,

ଯୁବତୀ ମାନଙ୍କ ଗହଳେ ଆସି, 

ସଦ୍ୟସ୍ନାନ ସାରି ଡଙ୍ଗା ଭସାଇଲେ, 

ପବିତ୍ର ତଟିନୀ କୂଳରେ ବସି


ତାମ୍ବୁଳ ଦକ୍ଷିଣା ଧୂପଦୀପ ନେଇ, 

ଭସାଇଲେ ଡଙ୍ଗା ନଦୀର ନୀରେ, 

ଭାସିଗଲା ଡଙ୍ଗା ଦୋହଲି ଦୋହଲି, 

ପୂରୁବ ଗାଥା କୁ ଭାବି ଅନ୍ତରେ


ବଧୂଲି ରଙ୍ଗରେ ପ୍ରାଚୀ ଚହଟିଲା, 

ତପନ ଉଠିଲେ ପୂର୍ବ ଦିଶା ରେ, 

ଘଣ୍ଟ ଘଣ୍ଟା ନାଦ ଶୁଭ ହୁଳହୁଳି, 

ମଙ୍ଗଳ ଆଳତୀ ଦେବ ମନ୍ଦିରେ


କାର୍ତ୍ତିକ ମାସର ପୂର୍ଣିମା ତିଥିରେ, 

ତଡାଗ ତଟିନୀ ବୋଇତ ମୟ, 

ସ୍ମରଣ କରୁଛି ଏ ଉତ୍କଳ ଜାତି, 

ମନେ ପଡି ଯାଏ ଜାଭା ବୋର୍ଣ୍ଣିଓ


ଦୂର ରାଇଜ କୁ ଯାଉଥିଲେ ପରା, 

ବଣିଜ କରିବେ ସାଧବଗଣ, 

ବାଲିଦ୍ଵୀପ ଆଉ ସିଂହଳ ରାଇଜେ, 

ଐଶ୍ବର୍ଯ୍ୟ ବୈଭବେ ଉତ୍କଳ ପୂର୍ଣ୍ଣ


ନାହିଁ ଆଉ ସେହି ଐତିହ ର ଦିନ, 

କର୍ପୂର ଉଡିଛି କନା ପଡିଛି, 

ଧରମ ଡଙ୍ଗାକୁ ଜଳାଶୟେ ମେଲି, 

ଅତୀତ କୁ ଖାଲି ଝୁରି ହେଉଛି..! 


ଆଷାଢ଼ କାର୍ତ୍ତିକ ମାଘ ଓ ବୈଶାଖ, 

ଆ କା ମା ବୈ ନାମରେ ଖ୍ୟାତ, 

ଏହି ଚାରିମାସ ଅନୁକୂଳ ହୁଏ, 

ସାଗରେ ଭାସଇ କେତେ ବୋଇତ


ପୁଣ୍ୟମୟ ଏହି କାର୍ତ୍ତିକ ମାସରେ, 

ଧରମ ଅର୍ଜନ କରନ୍ତି ନରେ, 

ସଞ୍ଜ ହେଲେ ଜଳେ ଆକାଶ ଦୀପ ଯେ, 

ଶେଷ ହୁଏ ମାସ ଡଙ୍ଗା ଭସାରେ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics