କାର୍ତ୍ତିକ ପୂର୍ଣ୍ଣିମା
କାର୍ତ୍ତିକ ପୂର୍ଣ୍ଣିମା
କେତେ ସୁନ୍ଦର ମୋ ଓଡିଶା ରାଇଜ
ମଧୁର ତାହାରି ଭାଷା ସାହିତ୍ୟ
ଧରମ ପୁରାଣ ପ୍ରଥା ପରମ୍ପରା
ସାରା ବିଶ୍ଵେ ଆମେ ସୁପରିଚିତ ।
ପରବ ପର୍ବାଣୀ କେତେ ଯେ ସୁନ୍ଦର
କାଳ କାଳ ଗାଥା ରହିଆସିଛି
ଜୀବନ ଜୀବିକା ସହ ଯୋଡା ହୋଇ
ଜୀବନ ପଥରେ ଖୁସି ବାଣ୍ଟିଛି ।
ମାସ ମଧ୍ୟେ ଶ୍ରେଷ୍ଠ କାର୍ତ୍ତିକ ମାସଟି
ଦାନ,ଧର୍ମ,ପୁଣ୍ୟ ପବିତ୍ର ଭରା
କାର୍ତ୍ତିକ ପୂର୍ଣ୍ଣମୀ ଶୁଭ ଲଗନରେ
ଉତ୍ସବମୁଖର ଓଡିଶା ସାରା ।
ସାଧବ ଆମର ଯାଉଥିଲେ ମିଶି
ଦୂରଦେଶକୁ ଯେ ବୋଇତ ଧରି
ବଣିଜ ବେପାର କରିବା ନିମନ୍ତେ
ନାନାଦି ଦରବ ସେଥିରେ ଭରି ।
ଝିଅ ବୋହୂମାନେ ଧୂପ ଦୀପ ଜାଳି
ବୋଇତ ବନ୍ଦାଉ ଥିଲେ ଖୁସିରେ
ସ୍ୱାମୀ ପୁତ୍ରଙ୍କର ଶୁଭ ସୁମନାସ
କରୁଥିଲେ ସର୍ବେ ମାଆ ପାଖରେ ।
ନାହିଁ ସେ ସାଧବ ପୁଅ ଓଡ଼ିଶାରେ
ନାହିଁ ସେ ସୁଦିନ ଅତୀତ ଆଜି
ପରମ୍ପରା କିନ୍ତୁ ବଞ୍ଚିରହିଅଛି
ମନେପକାଉଛୁ ସେ ସ୍ମୃତିରାଜି ।
ଖୁସି ମନେ ପାଳୁ କାର୍ତ୍ତିକ ପୂର୍ଣ୍ଣିମା
ଭସାଉଛୁ ଡଙ୍ଗା ଜଳାଶୟରେ
ଭୁଲିନାହୁଁ କେବେ ଭୁଲିଯିବୁ ନାହିଁ
ପରମ୍ପରା ଭରା ପର୍ବ ଆମେରେ ।
