କାର୍ତ୍ତିକ ଅନ୍ତେ
କାର୍ତ୍ତିକ ଅନ୍ତେ
ମଣିଷ ଜନମ ଅଟଇ ଦୁର୍ଲ୍ଲଭ
ମିଳେ କୋଟି ପୁଣ୍ୟ ବଳେ
ପ୍ରାଣୀଙ୍କ ମଧ୍ୟରେ ଶ୍ରେଷ୍ଠ ଜୀବ ଆଖ୍ୟା
ରହିଛି ଏ ମହୀ ତଳେ ।
ଭଲ ମନ୍ଦ ପାପ ପୁଣ୍ୟ ଜ୍ଞାନ ଥାଇ
ମଣିଷ ରୁ ଅମଣିଷ
ଅନ୍ୟ ଜୀବଜନ୍ତୁ ପାଳି ଥାନ୍ତି ଧର୍ମ
ଲାଳସା ମଗ୍ନ ମଣିଷ ।
ପୁରାଣରେ କାର୍ତ୍ତିକ ମାସରେ ପୁଣ୍ୟ
ହରି ନାମେ ଦାନ ଧର୍ମ
ମାସ ସାରା ହରିଙ୍କ ଭଜନ କରି
ମଣିଷ କରେନି କୁକର୍ମ ।
କାର୍ତ୍ତିକ ପୂର୍ଣ୍ଣମୀ ପରଦିନ କଥା
ମଣିଷ କୃତ ବିଧାନ
ଛାଡ ଖାଇ ଆଖ୍ୟା ସହିତ ପାଳନ
ନିହାତି ଆମିଷ ଭକ୍ଷଣ ।
ଛାଡ ଖାଇ ପ୍ରଥା,ନାହିଁ ଶାସ୍ତ୍ର ବାଣୀ
କେଉଁଠି ନାହିଁ ବର୍ଣ୍ଣନ
ଜିହ୍ୱା ଲାଳସା ର ବଶବର୍ତ୍ତୀ ହୋଇ
ଅହିଂସା ପଥ ଚୟନ ।
ଅଜବ ବିଚାର ଅଜବ ନିୟମ
ଛାଡ ଖାଇ ଆଢ଼ୁଆଳେ
ଅଗଣିତ ଜୀବ ହତ୍ୟା ହେଉଅଛି
ଛାଡ ଖାଇ ବିଧି ବେଳେ ।
ମଣିଷ ଯାହା କରୁଅଛି ଭକ୍ଷଣ
ଅନ୍ୟ ଜୀବ ଠାରୁ ଭିନ୍ନ
ଅନ୍ୟ ଜୀବ ହତ୍ୟା କରି କରେ
ନିଜ ଉଦର ପୋଷଣ ।
ଜିହ୍ୱା ଲାଳସା ଚରିତାର୍ଥ ପାଇଁ
ଛାଡ ଖାଇ ଆୟୋଜନ
ନିରୀହ ଜୀବର ଯାଉଛି ଜୀବନ
ଦିନେ ନୁହେଁ ପ୍ରତିଦିନ ।
ସଭ୍ୟ ସମାଜେ ହିନ ମାନସିକତା
ପୁଣ୍ୟ ମାସ ପରେ ପାପ
ପଶୁ ପକ୍ଷୀ ସମାଜରେ ଅଶ୍ରୁ ବନ୍ୟା
ନାହିଁ କିଛି ପଶ୍ଚାତାପ ।
କାର୍ତ୍ତିକ ପୂର୍ଣ୍ଣିମା ପର ଦିନ ନୀତି
କେଉଁ ବେଦ ଶାସ୍ତ୍ର ନୀତି
ଛାଡଖାଇ ମଣିଷର କରାମତି
ଉତ୍ପାତ ବଳେ ଉତ୍ପତ୍ତି ।
ଦୁଃଖର ବିଷୟ ମର୍ମାହତ କଥା
କିପରି କରିବା ବ୍ୟକ୍ତ
ଛାଡଖାଇ ଶୁଭେଚ୍ଛା ଗଣ ମାଧ୍ୟମେ
ହେଉଅଛି ପ୍ରଚାରିତ।
ଜୀବ ମାରିଣ ଖାଇ ମାଂସ,ସେ ପ୍ରାଣୀ
ବୈକୁଣ୍ଠରେ କରେ ବାସ
ବୁଝି ନ ପାରି ଜୀବର ଶୁଦ୍ଧ ଭାବ
ଜୀବ ମାରୁଛି ମଣିଷ ।
ଆଧ୍ୟାତ୍ମିକ ଭାବେ ହୋଇଛି ପ୍ରଣୀତ
ଜ୍ଞାନ ଚକ୍ଷୁ ଆବଶ୍ୟକ
ଜୀବ ମାରି ମାଂସ ଖାଇଲେ ହେବନି
ଦୁର୍ଲ୍ଲଭ ଜୀବ ସାର୍ଥକ ।
ଜୀବେ ଦୟା, ହରି ନାମରେ ସ୍ମରଣ
ଏହି ଉକ୍ତି ଚାଲୁ ରହୁ
ପୁଣ୍ୟ ପଥେ ପାଦ ଦେଇ ପୁଣି ପାପ
ହୃଦେ ଜାଗ୍ରତ ନ ହେଉ ।
ଛାଡଖାଇ ଶବ୍ଦ ହେଉ ଅନ୍ତର୍ଦ୍ଧାନ
ଭାଷାକୋଷର ପୃଷ୍ଠାରୁ
ଛାଡଖାଇ ନାମରେ ଶୁଭେଚ୍ଛା ବାର୍ତ୍ତା
ଲୋପ ହେଉ ସମାଜରୁ ।
