କାନ୍ଦି କହେ ନନ୍ଦରାଣୀ
କାନ୍ଦି କହେ ନନ୍ଦରାଣୀ
କାନ୍ଦି କହେ ନନ୍ଦରାଣୀ,
କେଣେ ଛାଡ଼ିଗଲୁ ମୋ ଗୁଣମଣି ରେ
ଗୁଣ ହେଉଥାଇ ଗୁଣି l
ପୁତନା ନାମେ ଡାହାଣୀ,
କ୍ଷୀର ପିଆଇଲା ମୁରଲୀପାଣି ରେ
ପଞ୍ଚ ପ୍ରାଣ ନେଲୁ ଟାଣି l
ଦଧି ମନ୍ଥନରେ ଗୋଳ,
କଲୁ ବୋଲି ବାନ୍ଧିଲି ଧରି ରୋଳ ରେ,
ବୃକ୍ଷ ଅର୍ଜୁନ ଯାମଳ l
ବିସ୍ତାରି ତୋହର ପାଟି,
ଦୁଷ୍ଟ ପଣେ ତୁହି ଖାଇଲୁ ମାଟି ରେ
ବାନ୍ଧି ମୁଁ ପିଟିଲି ଛାଟି l
ମାଟି ଖାଇ ନାହିଁ ମାଆ,
କହି ଦେଖାଇଲୁ ଧନ ତୁ ଆଁରେ,
କେ କଲା ଅବା କିମିଆଁ l
ଅଦ୍ଭୁତ ତୋହର ପାଟି,
ଚଉଦ ବ୍ରହ୍ମାଣ୍ଡ ଅଛନ୍ତି ଘୋଟି ରେ
କଳାକାହ୍ନୁ ଶିରିପତି l
ମାରିଲୁ କେତେ ବଇରୀ,
ବକାର ପାଟିକୁ ଦେଲୁ ତୁ ଚିରିରେ,
ଧନ ମୋର ବଂଶୀଧାରୀ l
ଶିରେ ତୋ ମୟୁର ପୂଛ,
ବାନ୍ଧିଦେଲେ କରୁ କେମନ୍ତ ନାଚରେ,
ଚିତ୍ତ ହୋଇଯାଏ ସ୍ୱଚ୍ଛ l
ଇନ୍ଦ୍ର ଘୋର ବୃଷ୍ଟି କଲା,
ସାତ ବରଷର ମନ୍ଦର ତୋଳାରେ,
ଶଚୀ ପତି ଗର୍ବ ଟଳା l
କପାଳେ ଗୋଚନା ଟୀକା,
ପାକଲା ଗାମୁଛା ଶିରରେ ଠେକାରେ,
ପୀତବାସ କଟି ବେକା l
ଅକ୍ରୁର କାହୁଁ ଅଇଲା,
କ୍ରୁର ପଣେ ଘେନି ମଥୁରା ଗଲାରେ,
ବିଧାତା ବାମ ହୋଇଲା l
ଘର କଲୁ ମଧୁବନ,
ପାଶୋରିଲୁ ମୋତେ ମଧୁ ସୂଦନରେ,
ଝୁରି ମଲି ରାତି ଦିନ l
ରାମ କୃଷ୍ଣ ବେନି ସୁତ,
ନୀଳଚକ୍ରେ ଉଡ଼େ ତାଙ୍କରି ନେତ ଲୋ
ଯଶୋଦା ତାହାଙ୍କ ମାତ l
ଧନ୍ୟ ଲୋ ଯଶୋଦା ମାଆ,
କହ୍ନେଇଟା ସିନା ତୋହର ଛୁଆଲୋ,
ମାଆ ବିନା କିଏ ସାହା ।