କାମ ଥିଲେ ମାମୁଁମାଇଁ
କାମ ଥିଲେ ମାମୁଁମାଇଁ
ଠହକା ମାରିକି ଇମୋଜି ମୁହଁରେ
କୁରୁଳି ଉଠଇ ହସ
ମୋବାଇଲ ବିନା ଅଚଳ ଦୁନିଆଁ
ଶୂନ୍ଯ ଲାଗେ ଦଶଦିଶ ।
ଫଣଫଣ ମୁହେଁ କଳା ମଚମଚ
ମାଗୁର ବାଘୁଆ ନିଶ
ବାଘମାମୁଁ ନୁହେଁ ପୋଲିସଙ୍କୁ ଦେଖି
ଚୋରର ଉଡଇ ହୋଶ ।
ଅଣ୍ଟାକୁ ହଲାଇ ଛଟକ ଦେଖାଇ
ଚାଲିଲେ ଫେସନବାଲି
ବିଚ ରାସ୍ତାଘାଟେ ବାଇ ବୁଲାଷଣ୍ଢ
ଦଉଡେ ଛାଡି ହମ୍ବାଳି ।
ଲଙ୍କାର କଟକେ ବନ୍ଦିନୀ ଜାନକୀ
ଅସହାୟ ପରୀକ୍ଷାର୍ଥୀ
ସପତ ସମୁଦ୍ର ଲଙ୍ଘି ହନୁମାନ
କପିରାଜ ବିରାଜନ୍ତି ।
ପାଗ ପରିବେଶ ଫଳ ଉତ୍ତୀର୍ଣ୍ଣାଙ୍କ
ଅଥୟ ଅନିୟମିତ
ନବେ ପ୍ରତିଶତ ରଖିପାରେ ଗଧ
ମେଧାବୀ ମାଙ୍କଡ ଚିତ ।
ଦେଲେ ହାତଗୁଞ୍ଜା ଖୋଲେ ନାଲିଫିତା
ଦରଖାସ୍ତ ନଥିପତ୍ର
ନତୁବା ଦପ୍ତର ଧାଆଁ ଧଉଡରେ
ପାଦରୁ ଛିଣ୍ଡେ ଚପଲ ।
ସିଂହାସନ ତଳେ ପାଚିଲା ସ୍ବାଦିଷ୍ଟ
ଫଳ ପୁଞ୍ଜିଏକୁ ଦେଖି
ବଦଳି ଯାଉଛି ବିଲୁଆ ବିଚାର
ବିଷମ ଆଇନ ଗତି ।
ଦିନରେ ଗଣନ୍ତି ତାରା ସାଧାରଣ
ଜଳକା ଭକୁଆ ହୋଇ
ମାରି ନେଉଛନ୍ତି ସବୁ ମହାପାତ୍ର
କାମ ଥିଲେ ମାମୁଁମାଇଁ ।
