କାଳମୃତ୍ୟୁ
କାଳମୃତ୍ୟୁ


ଶାବକ ସକାଶେ ଦାନା ଧରି ଆସେ
ନୀଡ଼ ଅଭିମୁଖେ ପକ୍ଷୀ
ଲକ୍ଷି ଦୂରତାରେ ବତୀଖୁଣ୍ଟ ତାରେ
ବସି ଯାଇଥିଲା ଥକି ।
ଡେଣାକୁ ମେଲାଇ ବସୁ ବସୁ ଯାଇ
ପାଖର ତାରରେ ବାଜି
ଦୂରେ ଥିଲା ବସା ଉଡିଗଲା ହଂସା
ଫେରି ପାରିଲାନି ଆଜି ।
ପକ୍ଷୀଙ୍କ ଆସରେ ଝଡ଼ ବତାସରେ
ଭାଙ୍ଗି ଯାଏ କେବେ ଡାଳ
କିଏ ଅବା ଜାଣେ ମରଣ ବି ଆଣେ
ଅଚାନକ ଏହି କାଳ ।
ଯିଏ ବି ଯାହାର କରଇ ଆହାର
ପୂରିଛି କାହାର ପେଟ
ବିଚିତ୍ର ଏ ଲୀଳା ଶେଷେ ସର୍ବଗିଳା
ମୃତ୍ୟୁ ସାଥେ ହୁଏ ଭେଟ ।
କାଳ ବଳବନ୍ତ ଆରମ୍ଭରେ ଅନ୍ତ
ଖଞ୍ଜି ଅଛି କଉଶଳେ
ଜଣକ ବିୟୋଗେ ଆନର ସଂଯୋଗେ
ଜଗତ ନିୟମେ ଚଳେ ।
କିଏ କେବେ ଭାଳେ କାହାର କପାଳେ
କେତେ କ୍ଷଣ ଅଛି ବାକି
କିଏ ବା ପ୍ରସ୍ତୁତ ମରଣର ଦୂତ
ନେଇଯିବ ଆସି ଡାକି ?
କିଏ ପାଦ ତଳେ କାହାକୁ ନ ଦଳେ
ଚାଲି ଯାଉ ଯାଉ ବାଟେ
ସତ୍ୟତାକୁ ଜାଣି ସର୍ବଶ୍ରେଷ୍ଠ ପ୍ରାଣୀ
ଉଚିତେ କି କାଳ କାଟେ ?