STORYMIRROR

Madhabi Patel

Inspirational

4  

Madhabi Patel

Inspirational

କାଳିଜାଇ

କାଳିଜାଇ

2 mins
371


ଜାଇ ନାମ୍ନୀ ଏକ କନ୍ୟାଟିଏ ଯା,ର

ହେଉଥିଲା ବାହାଘର।

ପାରିକୁଦ ଗଡ ଶଶୁର ଘର ତା

ଚିଲିିକାର ଆରକୂଳ।

ବିଭାଘର ସାରି କନ୍ୟା ଯାଉଥିଲା

 ପ୍ରଥମେ ତା ଶାଶୁଘର।

ଶାଶୁଘର ଲୋକ କଥା ଭାାବିଦେଲେ

ମନେ ମନେ ଲାଗେ ଡର।

ବାପା ଯାଉଥିଲେ ସାଥୀରେ ତାହାର

ନେଇ କେତେ ଉପହାର।

ଝିଅର ସଂସାର ବସିଗଲା ବୋଲି

ସନ୍ତୋଷ ମନେ ଅପାର।

ଜାଇ ଝୁରୁଥିଲା ସାଥୀ ସଙ୍ଗାତଙ୍କୁ

ମାଆ ଭାଇ ଓ ଭଉଣୀ।

ଦରିଆପାରିରେ ଶାଶୁଘର ତାର

ଆସିକି ଭେଟିବ ପୁଣି।

ନାଆ ଚାଲିଥାଏ ପବନ ବେଗରେ

ଭାବନାର ଧରି ଖିଅ।

ଚିହ୍ନା ଯେତେ ତାର ବଣ ପାହାଡକୁ

ମନେ ମନେ ଖୋଜେ ଝିଅ।

ଘଣ୍ଟଶିଳା ଦେଖି ଉଚ୍ଚରେ କହନ୍ତା

ଦିଅରେ ମେଲାଣି ମୋତେ।

ଭେଟ ଆଉ ପୁଣି ହେବ କି ନହେବ

ଯାଉଛି ଦୂର ବିଦେଶେ।

ଶାଳିଆ ନଈ ତା ନିତିଦିନ ସାଥୀ

ବୁଲୁଥିଲା ନିତି କୂଳେ।

ସ୍ନାହାନ ପହଁରା ବୋଇତ ଭସାଣ

କରିଛି କେତେ ତା ଜଳେ

ନାଉରୀ ବାପୁଡା ଡଙ୍ଗା ବାହୁଥିଲା

କାତମାରି ଗାଏ ଗୀତ।

ନାଆ ଯେବେ ହେଲା ମଝି ଚିଲିକାରେ

ପହଞ୍ଚିଲା କାହୁଁ ବାତ।

ନାଆ ଟଳମଳ ବାଆ ସରସର

ପାରେନି ସମ୍ଭାଳି କାତ।

ନାଆ ଓଲଟିଲା ମଝି ସମୁଦ୍ରରେ

ଅଘଟଣ ଅକସ୍ମାତ।

ଅନ୍ଧାର ଘୋଟିଲା ଝଡ ବି ଆସିଲା

କିଛି ନ ପଡିଲା ଜଣା।

ଝଡ ଥମିଗଲା ଏମିତି ଭାବରେ

ହୋଇନି କିଛି ଘଟଣା।

ବାପା ପାଖେ ଥିଲେ ନାଉରୀ ବି ଥିଲା

ନଥିଲା ତ କାହିଁ ଜାଇ।

ବ୍ୟସ୍ତ ହୋଇ ବାପା ଝିଅକୁ ଖୋଜନ୍ତି

କୁଆଡେ ଗଲୁ ମା ଜାଇ।

ଅତି ଅଳିଅଳି ଜୀବନ ସଙ୍ଖାଳି

କରି ପାଳିଥିଲେ ସିଏ।

ସଂସାର ଗଢିବ ସୁଖରେ ରହିବ

ବୋଲି ଭାବୁଥିଲେ ସିଏ।

ଭାଲେରୀ ପାହାଡ ପାଖେ ଦିଶୁଥିଲା

ଜଟିଆ ଗଲାଣି ରହି।

ପାରିକୁଦ ଗଡ ପାଖେଇଲା ବେଳେ

ଝିଅ ମୋର ଗଲା କାହିଁ?

ଜଳଚର ପକ୍ଷୀ ଉଡିବୁଲୁଥିଲେ

ସାଥୀ ପରିବାର ନେଇ।

ଅଭାଗା ବାପା ତା ମୁଣ୍ଡ ପିଟୁଥିଲା

କାନ୍ଦି କାନ୍ଦି ଜାଇ ଜାଇ।

ଶଶୁର ଘରେ ତା କି ଉତ୍ତର ଦେବ

ଯେବେ ମାଆ ତାର ପଚାରିବ?

ଭଲରେ ଭଲରେ ଝିଅକୁ ମୋହର

କରିଆସିଲତ ଠାବ।

ହଜିଗଲା ଝିଅ ମଝି ସମୁଦ୍ରରେ

କେମିତି ପାରିବେ କହି।

ବାପା ବଞ୍ଚିଥାଉ ଝିଅ ମରିଗଲା

ପତ୍ନୀକି ପାରିବ ସହି।

ଥମିଲା ବତାସ ଥମିଲା ଉତ୍ପାତ

ସବୁଦିଶେ ପୂର୍ବପରି।

ହଜିଲା ଝିଅକି ଫେରିବ ପୁଣି ସେ

ନେବେ ସେ କୋଳେଇ କରି।

କେତେ ଯେ ନାଉରୀ ଖୋଜିଲେ ଗଣ୍ଡରେ

ଜାଇ ତ ମିଳିଲା ନାହିଁ।

ହଜିଗଲା କାହିଁ ଦରିଆ ମଝିରେ

ପତ୍ତା ତା ମିଳିଲା ନାହିଁ।

ସେଇଦିନୁ ଯେବେ ନାଉରିଆ ଯାଏ

ସେବାଟେ ନାଆ ତା ବାହି।

ଝିଅର କାନ୍ଦଣା ଶୁଣା ଯାଉଥାଏ

ଯେମିତି କାନ୍ଦୁଛି ଜାଇ।

ଆତ୍ମାଶାନ୍ତି ପାଇଁ ମନ୍ଦିର ତୋଳିଲେ

ନାଆଁ ଦେଲେ କାଳିଜାଇ।

ସେଇ ଦିନୁ ଜାଇ ସେଇଠି ରହିଲା

ଦେବୀ ରୂପେ ପୂଜା ପାଇ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational