କାଳିଆରେ...
କାଳିଆରେ...
ସତରେ କାଳିଆ ଅଛୁକି ତୁହିରେ
ଏଇ ମାୟା ସଂସାରରେ ,
ତାହେଲେ କାହିଁକି ଏପରି ହେଉଛି
ତୋ ସହିତ କାଳିଆରେ ।
ଷାଠିଏ ପଉଟି ନଖାଇଲେ କାଳେ
ରହି ତ ନ ପାରୁ ତୁହି,
ନୀତିରେ ବିଭ୍ରାଟ କରେ ସେବାୟତ
ଉପାସେ ପକାନ୍ତି ସେହି ।
କେତେବେଳେ ତୋର ଭଣ୍ଡାର ଘରର
ଚାବି ହଜିଯାଉ ଅଛି ,
ଯେତେବେଳେ ପୁଣି ଚାବି ମିଳୁଅଛି
ଭଣ୍ଡାର ଶୂନ୍ୟ ରହିଛି ।
କୁଆଡେ ଯାଉଛି ତୋ ଧନ ସଂପତ୍ତି
କିଏ ଖାଇ ଯାଉଅଛି,
ବଡ଼ ବଡ଼ ତୋର ଆଖି ଦୁଇଟିକୁ
ବନ୍ଦ କିଏ କରିଅଛି ।
ମନ ଇଚ୍ଛା ପଣ୍ଡେ ବଡ଼ ଦେଉଳରେ
କୁକର୍ମ କରନ୍ତି ପଶି ,
ସେଲଫି ନେଇକି ଫଟୋ ଛାଡୁଛନ୍ତି
ଆନନ୍ଦ ବଜାରେ ବସି ।
ବାଟି ବାଟି ତୋର ସମ୍ପତ୍ତି କାଳିଆ
କୁଆଡ଼େ ଜଣା ପଡୁନି ,
ହାଏରେ କାଳିଆ ତୋ ଦୁର୍ଦ୍ଦଶା ଦେଖି
ଜମା ଏ ମନ ମାନୁନି।
ଲକ୍ଷ୍ମୀ ସାଆଁନ୍ତାଣୀ ପାଶେ ରହି ଯେବେ
ତୋର ଏହି ପରିସ୍ଥିତି ,
ଅନୁମାନ କର କାଳିଆ ତୁହିରେ
ଓଡ଼ିଶାର ଅଧୋଗତି ।
ସେବାୟତ ଠାରୁ ସରକାର ଯାଏ
ସଭିଏଁ ଏକୁ ଆରେକ ,
ଏମିତି ଯଦି ତୁ ନିରବେ ବସିବୁ
ଗିଳିବେ ଅଛି ଯେତେକ ।
ନିଦା ବ୍ରହ୍ମ ରୂପେ ପୂଜା ପାଇବୁକି
ଏପରି ଚାଲିଲେ ନୀତି
ନିରବେ ନ ରହି ଦେଖାରେ କାଳିଆ
ନୟନର ଦିବ୍ୟଜ୍ୟୋତି ।
ସଂହାର କର ତୁ ଦେଖା ତୋ' କରଣି,
ବିନାଶ କର ପାପୀଙ୍କୁ,
ତ୍ରାହି ତ୍ରାହି ବୋଲି ଡକା ପଡ଼ିଯାଉ
କରିସ୍ମା ଦେଖା ସଭିଙ୍କୁ ।
