STORYMIRROR

Chinmaya Kumar Nayak

Abstract

3  

Chinmaya Kumar Nayak

Abstract

କାଳିଆର ଦୁଃଖ

କାଳିଆର ଦୁଃଖ

1 min
11.8K

ଦୁଇ ଆଖି ମେଲି ଚାହିଁଛି କାଳିଆ

ଭକତଟେ ଦେଖା ନାହିଁ,

ରଙ୍ଗ ଅଧର ତା ବେରଙ୍ଗ ସାଜିଛି

ଦୁଃଖେ ବଡଦାଣ୍ଡେ ଚାହିଁ।


ନାହିଁ କୋଳାହଳ ନାହିଁ ହରିବୋଲ

ନାହିଁ ଅଶ୍ରୁଭିଜା ଆଖି,

କାଳିଆକୁ ଆଜି ରୁଚୁନାହିଁ କିଛି

ଦେହ ତା ଗଲାଣି ଶୁଖି।


ଆନନ୍ଦ ଉତ୍ସବେ ଫାଟି ପଡୁଥାଏ

ଶ୍ରୀମନ୍ଦିର ତାର ନିତି,

କିଏ ଦିଏ ଗାଳି କିଏ ଢାଳେ ଲୁହ

କେହି ଦେଖୁଥାଏ ଆଖି ପାତି।


ରତ୍ନ ସିଂହାସନେ ଲାଗେନାହିଁ ମନ

ବୁଲି ଆସନ୍ତାକି ଥରେ,

ଦେଖି ଆସନ୍ତା ସେ ଭକତ ତାହାର

ଅଛନ୍ତି କିପରି ଘରେ।


ଘର ପରା ତାର ଭକତ ହୃଦୟ

କିପରି ରହିବ ସୁଖେ,

କାନ୍ଦୁଛି ସଂସାର ମହାମାରୀ କୋପେ

କାଳିଆ ବସିଛି ଦୁଃଖେ। 


ଆନନ୍ଦ ବଜାର ଭକ୍ତ ଶୁନ୍ୟ ଆଜି

ବାଇଶି ପାହାଚ ଖାଲି,

ବାନର କେଇଟା ବିସ୍ମିତ ଭାବରେ

ବସିଛନ୍ତି ଆଖି ମେଲି। 


କୋଇଲି ବୈଙ୍କୁଠେ କୋଇଲିର ସୁର

ଅସୀମ ଜ୍ବାଳାରେ ଭରା

କଳ୍ପବଟ ମୂଳେ ମୁକ୍ତି ମଣ୍ଡପରେ

ଜମୁନି ଭକ୍ତ ଆସରା।


ଲକ୍ଷ୍ମୀ ବସିଛନ୍ତି ଉଦାସେ ମନ୍ଦିରେ

ଉପାୟ ନ ଯୁଟେ ମନେ

ଲକ୍ଷ୍ମୀକାନ୍ତ ଯଦି ବିଚଳିତ ହେବେ

କେମିତି ଚଳିବେ ଜନେ।


ଚାରି ଦ୍ୱାର ପରା ଶିରୀ ମନ୍ଦିରକୁ

ସବୁ ଦ୍ୱାରେ ଆଜି ତାଲା

ଭକ୍ତ ବିନା ହୁଏ ମଙ୍ଗଳ ଆଳତୀ

ପହଡ଼ ବି ଭକ୍ତ ବିନା।


ରାତି ପାହି ଯାଏ କାଳିଆ ଶୁଏନା

ସଂସାର ଅବସ୍ଥା ଦେଖି

ନିଜେ ରଚୟିତା, ନିଜେ ସେ ରଚନା

ବସିଛି ହୋଇ ସେ ସାକ୍ଷୀ।


ସଦାଚାରେ ଶୁଦ୍ଧ ଭକ୍ତି ଭାବ ରଖି

କରିବା ମିଳି ପ୍ରାର୍ଥନା,

ବିଶୁଦ୍ଧ ଆଧାରେ ବିଜେ ହେବେ ନାଥ

କରିବେ ନବ ସର୍ଜନା।


Rate this content
Log in

Similar oriya poem from Abstract