କାଳିଆ ଜହ୍ନ
କାଳିଆ ଜହ୍ନ
ଗୋପର ଆକାଶେ କାଳିଆ ଜହ୍ନ ହେ ବୃନ୍ଦାବନ କଳାରତ୍ନ
ଯଶୋଦା ରାଣୀର ଆଖିର ଅଞ୍ଜନ ଦେବକୀ ଆଖିର ସ୍ୱପ୍ନ।
ରାଧାର ହୃଦୟ ଚନ୍ଦନ ସାଜିଲ ରଚିଲ ପ୍ରୀତିର କୀର୍ତ୍ତି
ମୀରାର ଜୀବନ ପାଳକ ହୋଇଲ ପରଖିଲ ତା'ର ଭକ୍ତି ।
କଂସକୁ ବିନାଶି ଅଧର୍ମ ହଟାଇ ସ୍ଥାପନ କରିଲ ଶାନ୍ତି
ଗିରି ଗୋବର୍ଦ୍ଧନ ଆଙ୍ଗୁଳିରେ ଟେକି ଟାଳିଲ ମହାବିପତ୍ତି।
କାଳୀୟଦଳନ କରିଲ ନୃତ୍ୟରେ ରଖିଲ ଅନେକ ପ୍ରାଣ
ଯୁଗ ଯୁଗ ପାଇଁ ରଚିଲ ଧରାରେ ସତ୍ୟ ନ୍ୟାୟ ଧର୍ମ ମାନ ।
ଶାପଗ୍ରସ୍ତ କୁବ୍ଜା ହୋଇଲା ସୁନ୍ଦରୀ ତୁମ୍ଭ କୃପାସ୍ପର୍ଶ ପାଇ
ସୁଦାମାଙ୍କୁ ଧନଧାନ୍ୟରେ ଭରିଲ ବନ୍ଧୁତ୍ୱର ଗାଥା ଗାଇ।
ଅର୍ଜୁନ ରଥର ସାରଥି ସାଜିଲ ଦେଲ ଯେ ଧର୍ମର ଶିକ୍ଷା
କୋଟିବସ୍ତ୍ର ଦେଇ ଦ୍ରୌପଦୀକୁ ତୁମ୍ଭେ କରିଲ ଲଜ୍ଜ୍ୟାରୁ ରକ୍ଷା ।
ପ୍ରୀତି ଭକ୍ତି ଶକ୍ତି ବିଶ୍ୱାସ ପୁରୋଧା ସଂସାର ପାଳନକର୍ତ୍ତା
ଘେନ ଭକ୍ତି ଅର୍ଘ୍ୟ ତୁମ୍ଭ ପାଦପଦ୍ମେ ଏ ଜୀବନ ସମର୍ପିତା ।