କାଲି
କାଲି
ଏଇ କାଲି ତ ତୋଳି ଦିଏ
ନିମିଳିତ ଆଖି ପତାରେ
କେତେ ସମ୍ଭାର ସପନର ,
ମେସିନ ପରି ଚାଲୁଥିବା
ମଣିଷକୁ ମଣିଷଟେ ଭାବି
ଦିଏ ଟିକେ ଅବସର ।
ଟିକେ ହେଲେ ଫାଙ୍କା ଲାଗେ
ମନ ବି ହାଲକା ଲାଗେ
ଜରୁରୀ ତ ନୁହେଁ ନା !
ଆରାମରେ ଭାବିବା ଚିନ୍ତିବା
ନିଷ୍ପତ୍ତି ବି ନେଇଯିବା
ଆଜି ଆଉ ଭାବନା ।
ସମୟଟା ଏ ଆଖି ଆଗରେ
ଏଇମିତି ଗଡିଯାଇ
କାଲି,ଆଜି ଆଉ କାଲିରେ,
ତଥାପି କାଲିଟିଏ ଅଛି ଭାବି
ସମୟକୁ ବାନ୍ଧିଛି କି
କାଲିର ପ୍ରୟୋଗ ଫାଶରେ ।
ଏଇ
କାଲି ପୁଣି ଆଣିଦିଏ
ସମୟର ଅବଦାନ ନେଇ
ଆଶଙ୍କାର ଅବସାଦ,
ଆସନ୍ନ ପ୍ରଚଣ୍ଡ କୋପରେ
ଥରିଯାଏ ବୁକୁର ପଞ୍ଜରା
ଏଇ କାଲିର ପ୍ରମାଦ ।
ଏଇ କାଲି ପାଇଁ ପୁଣି କେବେ
ଉନ୍ମାଦନା ଖେଳିଯାଏ
ପ୍ରତିଟି ଗ୍ରନ୍ଥି ଓ ଶିରାରେ ,
କାଲି ହିଁ ଦେଖିଥିବା ସ୍ବପ୍ନଟିଏ
ବାସ୍ତବର ରୂପ ନେବ
ଧୈର୍ଯ୍ୟର ଚଟାଣ ଉପରେ ।
କାଲିରେ ବଞ୍ଚିବା ନେଇ
ଇତିହାସର କରୁଣ ଅନୁଭବ
ଦିଏ ମୁଣ୍ଡକୁ ଟୁଙ୍ଗାରି ,
କାଲି ତ କାଲି ହେବୁ ନିଶ୍ଚେ
କର୍ମକୁ ତର୍ଜମା ତୁ କର
ହେବୁ ମଣିଷଟେ ପରି ।