କାକର ବିନ୍ଦୁରେ ମୁହଁ
କାକର ବିନ୍ଦୁରେ ମୁହଁ
ଆସିଥିଲ ତୁମେ ବରଷା ସହିତ
ଦେଖିଥିଲି ମନଭରି
ଶରତରେ ତୁମେ ଖୋଲା ଆକାଶରେ
ହସୁଥିଲ କିରିକିରି ।
ଶୀତରେ ଆସିଲ ଥିରିଥିରି ପାଦେ
ଥରାଇଲ ମୋର ଦେହ
କାକର ବିନ୍ଦୁରେ ଦେଖିଥିଲି ସଖୀ
ତୁମ ଅପାସୋରା ମୁହଁ ।
ବସନ୍ତରେ ଏବେ ରଙ୍ଗ ବୋଳିହୋଇ
ରଙ୍ଗୀନ ଦିଶୁଛ ତୁମେ
ଫୁଲରେ ଫୁଲରେ ପ୍ରୀତିର ରୋଷଣୀ
ଜଳାଇ ଦେଇଛ ପ୍ରେମେ ।
ତୁମପାଇଁ ସଖୀ ମନର ଦରଜା
ଦେଇଛି କେବଠୁ ଖୋଲି
ଡେରି କରନାହିଁ ହୃଦୟ ମନ୍ଦିରେ
ଧିରେ ଆସ ଚାଲି ଚାଲି ।

