ପ୍ରେମ ଋତୁ
ପ୍ରେମ ଋତୁ
ଭାବନା ଯୋଗ୍ୟତା ମୋ ସବୁ ସୀମା ଲଙ୍ଘୁ ଥିଲା
ତୁମ ଦୃଷ୍ଟିର ଚତୁରତା ମୋତେ ଅଶାନ୍ତ କରୁଥିଲା
ଅନାବନା ମନ ମୋର ବିଚଳିତ ଥିଲା
ତୁମ ହୃଦୟର ବାର୍ତ୍ତା ବହନ ତୁମ ଚାହାଣୀ ଠିଁ ବୋଧେ ନ୍ୟସ୍ତ ଥିଲା?
ହୃଦୟଙ୍ଗମ କଲି ଯେବେ ତୁମ ଚାହାଣୀର ଉଦନ୍ତକୁ
ଦୁଷ୍ଟାମିର ଉପାଧି ଟିଏ ଦେଲି ସେ ଦୃଷ୍ଟିର ବାର୍ତ୍ତାକୁ
ଦିନ ଥିଲା ଖେଳୁ ଥିଲି ପ୍ରେମ ସିନ୍ଦୂରର ଖେଳ
ଆଜି ସତ ପରି ଲାଗେ ମୋତେ ସେ ଛଳନା ପୂର୍ଣ୍ଣ ବେଳ।
ଅଟ୍ଟହାସ୍ୟ କଲେ ମୋତେ ଅତୀତର ମୁହୂର୍ତ୍ତ ସବୁ
ସତ ବୋଲି ଭାବେ ବସି ସେ ବୋହୂ ଚୋରି ଖେଳକୁ
ସଂପ୍ରତି ତ ପହଞ୍ଚି ଥିଲି ଏ ଗୋଲାପ ବଗିଚାରେ
ଏଠି ଫଗୁଣ ମୋତେ ସ୍ୱାଗତ କଲା ଷୋଡ଼ଶ ଗୋଲାପ ଫୁଲରେ।
ଭାବନା ମୋ ପ୍ରଶ୍ନ କରେ ତୁ କେଉଁଠି ଅଛୁ ଉଭା?
ବାସ୍ତବତା ଭିନ୍ନ ମଣେ ମୁଁ ବ୍ୟତିବ୍ୟସ୍ତ ଏକା
ତୁମ ଅଢ଼େଇ ଅକ୍ଷର ଶବ୍ଦ ନା ଏ ଯାଦୁଗରୀ ମନ୍ତ୍ର
ମୋତେ ଶ୍ରାବଣ ବି କହେ ଆସି ତୁମ ଅନୁରକ୍ତିର ସ୍ତୋତ୍ର।
ମୁଁ ତ ବୈଶାଖ ଦ୍ବିପ୍ରହରେ ଥିଲି ବୈତରଣୀର କୂଳେ
ମୋତେ ଋତୁରାଜ ବସନ୍ତ ବି ଲୋକହସା କରେ
ତୁମ ପ୍ରେମର ପ୍ରଳାପ ମୋତେ ଲାଗୁଛି ସଂପ୍ରସାରିତମୁଖୀ
ଟିକେ ମନ୍ଥର ହୁଅ ପ୍ରିୟତମ ମୋର ଲାଜକୁଳୀ ପରି ସ୍ଥିତି।
ତୁଳନାତ୍ମକ ଦୃଷ୍ଟି ରଖେ ମୋ ଠିଁ ନାଲି ରଙ୍ଗର ରାଣୀ
ଜ୍ୱଳନ ମୋ ମର୍ମ ପୁଣି ଦେଖି ତା ଈର୍ଷାନ୍ୱିତ ଠାଣି
ନାଲି ଟୋପା ପିନ୍ଧି ଆସି ବସେ ମୋ ସାମ୍ନାରେ
ବାଟେ ଘାଟେ ଯେବେ ଦେଖ ଏ କୃଷ୍ଣଚୂଡ଼ା ମୋତେ।