କାହ୍ନୁ ପ୍ରେମେ ସଖୀ
କାହ୍ନୁ ପ୍ରେମେ ସଖୀ
ଘନ ଅନ୍ଧକାରେ ବିଜୁଳି ମେଘରେ
କାହ୍ନୁ ଧୀରେ ପ୍ରବେଶନ୍ତି ,
ଗୃହେ ପ୍ରବେଶିଣ ପ୍ରଦୀପ ଲିଭାଇ
ସଜନୀ ପାଶେ ବସନ୍ତି ।
ସ୍ମିତ ହାସ୍ୟ ତାଙ୍କ ନାଲି ଅଧର'ର
ମୟୁର ଚନ୍ଦ୍ରିକା ଦେଖି ,
ପିୟାସୀ ପ୍ରାଣର ତୃଷାର୍ତ୍ତ ସେ ସଖୀ
ଲାଜେ ନୁଆଇଁଣ ଆଖି ।
ଆଙ୍ଗୁଳି ସଞ୍ଚାରି ଘନ କେଶ କାହ୍ନୁ
ଫିଟାଇଣ ଦେଲେ ଶେଷେ,
ସେ ରାଇ ମୋହନ ହସ୍ତ ସଞ୍ଚାରିଲେ
କଟି ମେଖଳା'ର ପାଶେ ।
କାଉଁରୀ ସ୍ପର୍ଶରେ ବିଜୁଳୀ ଖେଳିଲା
ସଖୀ କୋମଳ ଶ୍ରୀଅଙ୍ଗେ ,
ଆଲିଙ୍ଗନ କରି ଚୁମ୍ବନ ଆଙ୍କିଲେ
ବସାଇଣ ତାଙ୍କ ସଙ୍ଗେ ।
ମଥାର ସିନ୍ଦୁର ଶ୍ରୀମୁଖରେ ଲାଗି
ମୁଖ ରଙ୍ଗୀନ ହୋଇଲା ,
ପଦ ସଂଚାଳନେ ନାଲି ଅଳତାରେ
ପୀତବସ୍ତ୍ର ଦାଗ ହେଲା ।
ସ୍ବପ୍ନ ରାଇଜରେ ସଖୀ ର ତନୁରେ
ଶିହରଣ ଖେଳିଗଲା ,
ବାଙ୍କ ବିହାରୀ'ଙ୍କୁ ଚତୁଃପାର୍ଶ୍ଵେ ଦେଖି
ସଖୀ ସ୍ବପ୍ନ ଭଙ୍ଗ ହେଲା ।
ସ୍ଥିତପ୍ରଜ୍ଞ ହୋଇ ଦେଖିଲାତ ସଖୀ
ଗୋପପୁର ସେ' ଗୋସାଇଁ ,
ଭାବ ଲୀଳା ତାର ହେଲା ସମାପନ
ନିଦ୍ରା ରୁ ଉଠିଲା ଚେଇଁ ।

