କାହିଁ ପାଇଁ କୁହ
କାହିଁ ପାଇଁ କୁହ
ଆହେ ଦୀନବନ୍ଧୁ ,ତୁମେ କୃପାସିନ୍ଧୁ ,ତୁମେତ ଦୟାର ସାଗର ,
କୁହ ତୁମେ ଥରେ ,କାହିଁକି ମୋତେ କରିଛ ପର ।
ତୁମ ଏହି ସଂସାରେ ,କାନ୍ଦି କାନ୍ଦି ମାରେ ଏହି ଅଧମ ,
କାହିଁ ପାଇଁ କୁହ ,ଦେଲ ମୋତେ ତୁମେ ଜନମ ।
ସବୁତ ଜାଣିଛ ,ଏହି ସୃଷ୍ଟି ରଚିଛ ,ତୁମେତ ଈଶ୍ୱର ,
ତେବେ କାହିଁ ପାଇଁ କୁହ ,କରୁଛ ବାଛ ବିଚାର ।
ଦୀନବନ୍ଧୁ ବୋଲି ଜାଣି ତୁମକୁ ,କେତେ ଡାକ ଦେଲି ,
କିନ୍ତୁ କାହିଁ ପାଇଁ କୁହ ,ତୁମଠାରୁ ଉତ୍ତର ନପାଇଲି ।
କେତେ କେତେ ଦୀନହୀନଙ୍କୁ,ତୁମେ ପରା ସାହା ହୋଇଛ ,
ମୁଁ ଜଣେ ଦୀନ ଡାକୁଛି ,କାହିଁ ପାଇଁ କୁହ ନଶୁଣୁଚ ।
ଭାବିଥିଲି ତୁମେ କୃପାସିନ୍ଧୁ ,ଟିକେ ମୋତେ କୃପା କରିବ ,
ଜାଣିନାହିଁ ,କାହିଁ ପାଇଁ କୁହ ତୁମେ ମୋତେ ଭୁଲିଯିବ ।
ତୁମ କୃପା ବେଳେ ,କେତେ କେତେ ତରି ଗଲେ ,
କାହିଁ ପାଇଁ କୁହ ,ମୋତେ କୃପା ନକର ଭଲେ ।
ଟିକେ କୃପା କଲେ ,ଯଦି ଥମିବ ଆଖିର ଲୁହ ,
ତେବେ ତାହା ବୁଝିକି ପାରୁନ ,କାହିଁ ପାଇଁ କୁହ ।
ତୁମ କୃପା ଦୃଷ୍ଟି ବଳେ ଯଦି ଦୟା କରିବ ,
ତେବେ କାହିଁ ପାଇଁ କୁହ ,ସେତିକି ତୁମେ ନକରିବ ।
ଦୟାର ସାଗର ତୁମ ହୃଦୟ ବୋଲି ,ଜଗତେ ବିଖ୍ୟାତ ,
କାହିଁ ପାଇଁ କୁହ ଡୁବୁଛି ମୋର ଆଶାର ପୋତ ।
ଜାଣିନି କାହିଁକି ଏମିତି କରୁଛ ?ମାୟାରେ ମୋତେ ବାନ୍ଧିଛ,
କାହିଁ ପାଇଁ କୁହ ,ମୋତେ ଏତେ ଦୁଃଖ ଦେଉଛ ।
କହିବି କାହାକୁ ଏବେ ? ହେବ ନିନ୍ଦା ଅପବାଦ ତୁମ ,
ଜାଣିନି କାହିଁ ପାଇଁ କୁହ କରୁଛ ଏମିତି କର୍ମ ।
ତୁମ ନିନ୍ଦା ଅପବାଦ କିଛି କେବେ ସହି ପାରିବିନି ,
କାହିଁ ପାଇଁ କୁହ ,ମୋର ଆକୁଳ ବେଦନା ଦିଶୁନି ।
ଯଦି ମୋତେ ଏତେ ପର କରିବାର ମନ ଥିଲା ,
ତେବେ କାହିଁ ପାଇଁ କୁହ ,ଜୀବନ ରଖିଲା ଭଲା ।
ମୋତେ ପର କରିଦେଇ ,କରାଉଛ ତୁମେ କେତେ ଲୋକହସା କାହିଁ ପାଇଁ କୁହ ,କରିଛ ମୋର ଏହି ଦଶା ।
