କାହିଁ ମୋର ସେହି ପିଲାଦିନ
କାହିଁ ମୋର ସେହି ପିଲାଦିନ
ସେହି ମୋର ପିଲାଦିନ
ନାଚେ ଛବି ପ୍ରତିକ୍ଷଣ
ଜୁଆରିଆ ଢେଉ ସମ
ଭାସି ଆସେ ସ୍ମୃତି ମାନ
ସେ ସ୍ମୃତିରେ ହଜି ଯାଇ
ଅପାର ଆନନ୍ଦ ପାଇ
ପରିଣତ ବୟସରେ
କେବେ ଯା କୁ ଭୁଲି ନାହିଁ
ଖୋଜୁଥାଏ ମୋର ମନ
ନିତି ସଦ୍ୟ ପ୍ରସ୍ଫୁଟିତ ସେହି ପାରିଜାତ ବନ
କାହିଁ, କାହିଁ ମୋର ସେହି ପିଲାଦିନ ।
ସାଙ୍ଗ ସାଥି ଧୂଳି ଖେଳ
କଣ୍ଟା ବୁଦା କୋଳି ମାଳ
ଦୋଳି ମାଙ୍କୁଡି ପୁଣି
ଡୁ ଡୁ ବୋହୂ ଚୋରି ଖେଳ
ଡିବିରି ଲଣ୍ଠନ ଜଳେ
ଜୁକୁ ଜୁକୁ ସଞ୍ଜ ବେଳେ
ସଞ୍ଜବତୀ ଦିଏ ମାଆ
ତୁଳସୀ ଚଉରା ମୂଳେ
ବୁଢ଼ୀ ମାଆ ଖାଇ ପାନ
କହେ ବୁଢ଼ୀ ଅସୁରୁଣୀ ରାଜାରାଣୀ ଗପ ମାନ
କାହିଁ, କାହିଁ ମୋର ସେହି ପିଲାଦିନ ।।
ବାରି ପଟେ ଢ଼ିଙ୍କି ଶାଳେ
କେତେ ମାଇପିଙ୍କ ମେଳେ
ବୋଉ ମୋର ଧାନ କୁଟେ
ଶୁଖାଳିର ତାଳେ ତାଳେ
ଓଷା ପୁନିଅଁରେ ପୁଣି
କେତେ ପିଠା ଭଳି ଭଳି
ଖଟା ଦିଆ ଚୁନା ମାଛ
ସାଥିରେ କୋଳଥ ଡାଲି
ଭାବି ଦେଲେ ସେହି ଦିନ
ସତରେ ଲାଗୁଛି ଦିନରେ ଦେଖୁଛି କି ସପନ
କାହିଁ, କାହିଁ ମୋର ସେହି ପିଲାଦିନ ।।
ପାଲିଙ୍କିରେ କାନ୍ଧେ ବୋହି
ଧାକୁମ୍ ଧାଆ କହି କହି
କିବା ଶଗଡ଼ିରେ ଥାଇ
ବୋହୂ କାନ୍ଦେ କଇଁ କଇଁ
ଲଙ୍ଗଳ ଯୁଆଳି ନେଇ
ଚଷା ପୁଅ ଦିଏ ମଇ
ସୁଲଳିତ କଣ୍ଠ ସ୍ୱରେ
କେତେ ଗୀତ ଗାଇ ଗାଇ
କାଳିଆ କସରା ମନ
ବରଷାରେ କିଣି ନେଇ କରୁଥାଏ ବେଉଷଣ
କାହିଁ, କାହିଁ ମୋର ସେହି ପିଲାଦିନ ।
କାହିଁ ସେ ବାତାବରଣ
ଭରି ଦିଏ ନୂଆ ପ୍ରାଣ
ସାଙ୍ଗ ସାଥି ଗୁରୁଜନ
ଆଦର୍ଶର କଥା ମାନ
ବିଭା ବ୍ରତ ମହୋତ୍ସବ
ଆମରି ଗାଆଁ ମେଳଣ
ଭାବି ଭାବି ଏହି ମନ
ଖୋଜେ ତାକୁ ରାତି ଦିନ
ହଜିଲାର ସେହି ଦିନ
ଫେରି କି ଆସନ୍ତା ଥରେ ହଜିଯାନ୍ତା ଏ ଜୀବନ
କାହିଁ, କାହିଁ ମୋର ସେହି ପିଲାଦିନ ।