ତ୍ରାହିମାଂ ଭବ ସାଗରଂ
ତ୍ରାହିମାଂ ଭବ ସାଗରଂ
ସମସ୍ୟା ବଳୟ ମଧ୍ୟେ
ସଭିଏଁ ତ ଘୁରି ଘୁରି
ଘୁର୍ଣ୍ଣନର ପରିଧିରେ
ଘୁର୍ଣ୍ଣିତ ଅବସ୍ଥା ମଧ୍ୟେ
କେହି ପାରନ୍ତିନି ଛୁଇଁ କାହାରିକୁ ଆଜି,
କେହି କାହାରିକୁ ଟପି
ପାରନ୍ତିନି ଆଗକୁ ବି ଯାଇ।
ଏ ଏମିତି ଏକ ଘୂର୍ଣ୍ଣିବଳୟ
ତାର ପଂଝା ଭିତରେ ସମସ୍ତେ
ଆଜି ଅଣନିଃଶ୍ବାସୀ,
ମୃତ୍ୟୁ ଠୁ ବି
ଯନ୍ତ୍ରଣା ଦାୟକ ଏ କଷ୍ଟ।
ଜୀବନ ର ଶେଷ ମୁହୂର୍ତ୍ତରେ ବି
ସଭିଏଁ ପ୍ରୟାସ ରତ ଏଥିରୁ
ମୁକୁଳି ଶାନ୍ତି ରେ
ନିଃଶ୍ୱାସ ଟେ ପାଇଁ ।
ଆର୍ତ୍ତ ଚିତ୍କାର ଖାଲି ମୁକ୍ତି ଆଉ ମୁକ୍ତି,
ହେଲେ ମୁକ୍ତି ତ ଏଠି ଦୁଃଷପ୍ରାପ୍ୟ।
ଯନ୍ତ୍ରଣା ତ ଏଠି ସହଜ ଉପଲବ୍ଧ,
ହେଲେ ଯନ୍ତ୍ରଣା ର ଶ୍ୟାମଳତା
ଆଜି ଜଳି ପୋଡ଼ି ପାଉଁଶ।
ସେ ଯନ୍ତ୍ରଣା କୁ ବୁଝିବାକୁ
କି
ସେଥିରୁ ବାହାରୁଥିବା ନିର୍ଯାସ କୁ
ଠିକ୍ ଭାବେ ଦେଖିବାକୁ
ଏ ଜୀବନ୍ତ ପୃଥିବୀରେ
ଆଉ କେହି ଧୈର୍ଯ୍ୟ ଧରି ଅପେକ୍ଷା
କରିବାକୁ ଚାହାନ୍ତି ନାହିଁ।
ସମସ୍ତଙ୍କର ଭିତ ତ୍ରସ୍ଥ ପିଣ୍ଡ ଚାହେଁ
ସହଜ ଉପଲବ୍ଧ ଏକ
ସମସ୍ୟା ବିହୀନ ସିଦ୍ଧି,
ଯାହା ଏବେ ମରୁଭୂମି ର
ମୃଗତୃଷ୍ଣା ସଦୃଶ୍ୟ।
ଏକଦା ପ୍ରଳୟର
ଘୂର୍ଣ୍ଣିବଳୟ ମଧ୍ୟରେ
ପୃଥିବୀ ହୋଇ ଥିଲା ଜଳାର୍ଣ୍ଣବ,
ସମସ୍ତେ ଆଶାୟୀ ଥିଲେ
ନିଜସ୍ବ କୃତ ସମ୍ପର୍କର ରଜ୍ଜୁ ଧରି
ପାରିହେବା କୁ ସେ
ଏକାର୍ଣ୍ଣବ ମହା ପାରାବାର।
ଏକ ମାତ୍ର ମାର୍କଣ୍ଡେୟ
ମହାମୁନି ଲାଗିଥିଲେ କୁଳେ
ଶେଷେ
ବଟ ପତ୍ରପୁଟେ ଜନାର୍ଦ୍ଦନ ଦେଖିଥିଲେ ସେ ହିଁ।
ସପ୍ତକଳ୍ପ ଜୀବି ଥିଲା
ତପସ୍ୟା ତାଙ୍କର,
ଅକଥନୀୟ କଷ୍ଟ ରେ
ହୋଇବି ଶୀକାର ଶେଷେ
ତ୍ରାହିମାଂ ଭବ ସାଗର
ମନ୍ତ୍ରରେ ହୋଇ ଗଲେ ପାର।
ଆମ ସମସ୍ୟାର ଘୂର୍ଣ୍ଣିବଳୟ ତ
ମନୁଷ୍ୟକୃତ ଏକ ରଜ୍ଜୁ,
ଏହା ଛିଡିବା ସହଜ।
ଖାଲି କାଟିବାକୁ ହେବ
ସବୁ ମୋହ,ମାୟାଓମମତା
ସେହି ଅମୋଘ ବାଣରେ,
କିନ୍ତୁ ଯାହା ନୁହଁଇ ସହଜ।
ରଜ୍ଜୁ ସଦୃଶ୍ୟ
ସତ କିନ୍ତୁ ତାହା ଅଟେ
ଶେଷନାଗ" ର ବନ୍ଧନ।
ତଥାପି ବି ଅଛି ତା ଔଷଧ
ଔଷଧ ନୁହଁଇ ତାହା
ଅଟେ ମହୌଷଧ,
ତ୍ରାହିମାଂ ଆହେ ଚକ୍ରଧର" ତ୍ରାହିମାଂ ଆହେ ଚକ୍ରଧର"
ତ୍ରାହିମାଂ ଭବ ସାଗର
ତ୍ରାହିମାଂ ଭବ ସାଗର
ଆମେ ହୋଇଯିବା ପାର।