ମୋର ଘରବାଲି
ମୋର ଘରବାଲି
ମୋର ଘର ବାଲି ନହକା ତା ଚାଲି
ହାତେ ଓଢ଼ଣୀ ତା ମୁଣ୍ଡେ
ଧିରେ କୁହେ କଥା ତଳକୁ ତା ମଥା
ଧାରୁଆ ଇସ୍ପାତ ଖଣ୍ଡେ ।
ଦୁଇ ପଟେ ଧାର ଅଟଇ ତାହାର
ଦିଶେ ଖାଲି ଦାଉ ଦାଉ
ନ ଗଲେ କଥାରେ ମହଙ୍ଗା ଯେ ପଡେ
ସହି ହୁଏ ନାହିଁ ଭାଉ ।
ବୋପାଟି ତାହାର ଅଟେ ହାବିଲଦାର
ଭାଇଟି ତାର କିରାଣୀ
ଚାକିରିଟେ ନାହିଁ ବେକାରଟେ ମୁହିଁ
ଛନ୍ଦି ଦେଲେ ତାକୁ ଆଣି ।
ରୋଷେଇ ଶିଖିନି ବାସନ ମାଜେନି
ସଫା କରେନି ତା ଲୁଗା
ଘର ଓଳେଇବା ବହୁ ଦୂର ଅବା
ଚାଲିଲେ ଦୋହଲେ ଜାଗା ।
ନାହିଁ ତାହା ପାଇଁ ବ୍ଲାଉଜଟେ କାହିଁ
କମ୍ପାନୀ ହୋଇନି ଖୋଲା
ଗଲା ସନ ଏଠି ମିସ୍ତ୍ରୀଟିଏ ଡାକି
ଦୁଆର କରିଲି ମେଲା ।
ବସିବ ଓଳିଏ ଖାଇବ ଥାଳିଏ
ଚିହ୍ନିଛି ଏକା ତା ପେଟ
ଉଠିବା ବେଳକୁ ଧରି ତା ହାତକୁ
ନିତି କୁହେ ଉଠ ଉଠ ।
ଏହି ଭଳି ଭାଗ୍ୟ ମିଳିଲେ ସୌଭାଗ୍ୟ
ମଣେ ତା ପତି ଦେବତା
ଗୋଟେ ଉପକାର ହେଉଥିବ ତାର
ହଜେ ବହୁମୁତ୍ର ସତ୍ତା ।