ସମ୍ପର୍କର ମଧୁଗୀତି
ସମ୍ପର୍କର ମଧୁଗୀତି
କୀଟଠୁ ମାନବ ଆମ ଏହି ଭବ
ତୋଳି ସମ୍ପର୍କର ମଧୁଗୀତି
ଆନନ୍ଦଉଲ୍ଲାସେ ଅତ୍ଯନ୍ତ ହରଷେ
ବିତାଇ ଥାଆନ୍ତି ଦିନରାତି
ହୃଦୟରେ ମାଖି ସ୍ନେହ ପ୍ରୀତି
ବିଶ୍ବାସ ଭରସା ବନ୍ଧନେ ଚଳନ୍ତି
ଆଶା ଅଭିଳାଷ ବାଢ଼ି ନିତି ।
ଯେଝା ସାଧ୍ୟମତେ ରହି କର୍ମ ସାଥେ
ସମ୍ପର୍କ ଦୋଳିରେ ଝୁଲିଝୁଲି
ପରସ୍ପର ଭାବ ଆଦାନପ୍ରଦାନ
ପକାଇ ନଦେଇ ଟିକେ ଧୂଳି
ପ୍ରେମ ଅନୁରାଗ ମନେ ବୋଳି
ସୁଖଦୁଃଖ ଦୁଇ ନିଅନ୍ତି ଗୋଟାଇ
ଜନମୁ ମରଣ ସାଥେ ଚାଲି ।
ବିଶ୍ବାସରେ ଘର ସମ୍ପର୍କ ମଧୁର
ଅବିଶ୍ବାସ ବସା ବାନ୍ଧେ ଯେବେ
ତୁଟଇ ଭରସା ମରିଯାଏ ଆଶା
ଜୀବନ ଲାଗଇ ଶୁଷ୍କ ତେବେ
ଖୁସି ଫୁଲ ଫୁଟେ ନାହିଁ କେବେ
ତଥାପି ମଣିଷ ପରିସ୍ଥିତି ଦାସ
ସମ୍ପର୍କକୁ ନିତି ନିତି ସେବେ ।
ବିନା ସମ୍ବନ୍ଧରେ କେ ଜୀଏଁ ମର୍ତ୍ତ୍ୟରେ
କେହି କ'ଣ କେବେ ଅଛେ ଦେଖି
ସୂରୁଯ ଚନ୍ଦର ନିତି ଆତଯାତ
ନିଃସ୍ବାର୍ଥପର ପ୍ରୀତି ମାଖି
ଆମ ଚକ୍ଷୁ ପରା ତା'ର ସାକ୍ଷୀ
ସେହି ଉଦ୍ଦୀପନା ହୃଦେ ନଜଗାଇ
ବୃଥା କିଆଁ ଆମେ ଯିବା ଥକି ?
ଭୁଲି ରାଗ ରୋଷ ମମତା ପୀୟୁଷ
ଢାଳି କିଆଁ ନ ହୋଇବା ତୋଷ
ତୋଷିଲେ ନିଜକୁ ଜିତିବା ଆନକୁ
ସତ୍ୟର ନୁହେଁ କି ଏ ଆଭାସ !
ସମ୍ପର୍କ ସୁଧାରି ତେଜି ଭୀତି
ଦିଶୁଥିବା ପରା ସରସ ସୁନ୍ଦର
ଗାଇ ସମ୍ପର୍କର ମଧୁଗୀତି ।