ଜନ୍ମଦାତ୍ରୀ
ଜନ୍ମଦାତ୍ରୀ
ଗରଭ ଯନ୍ତ୍ରଣା ପ୍ରସବ ବେଦନା
ସହି ପରା ଜନ୍ମଦାତ୍ରୀ
ଧରିତ୍ରୀ ପରିକା ସର୍ବସ୍ବ ଉଜାଡେ
ସନ୍ତାନଠି ଦିବାରାତ୍ରୀ ।
ଆଲୋକ ଦେଖାଇ ବକ୍ଷାମୃତ ପେଇ
ମାତୃଗୁଣେ ବଳୀୟାନ
ସ୍ନେହ ମମତାର ନିର୍ଝରିଣୀଟିଏ
ଅଳି ଅଝଟ ବହନ ।
ନିଜ ସୁଖ ଭୁଲି ସନ୍ତାନକୁ ପାଳି
କରଇ ଛୋଟରୁ ବଡ଼
ଅତି ଶରଧାରେ ନିଜ ସାଧ୍ୟମତେ
ଯୋଗାଏ ଯେବେ ଯା' ଲୋଡ଼ ।
ଭୋକ ଉପାସକୁ ନଥାଏ ଖାତର
ପିଲା କଥା ବୁଝେ ଆଗ
ନିଜେ ସହି ଦୁ଼ଖ ସନ୍ତାନର ସୁଖ
କାମନାରେ ମନଯୋଗ ।
ରୋଗ ସମୟରେ ପାଖେ ଜଗି ବସି
ଲାଗିଥାଏ ସେବିବାରେ
ରାତି ଆଉ ଦିନ ସବୁ ଏକା କରି
ଈଶ୍ବରେ ପ୍ରାର୍ଥନା କରେ ।
ଛୋଟ ଅବା ବଡ଼ ଲୋଡ଼ଇ ଆଶ୍ରୟ
ତା'ର ଅଭୟ ପଣତେ
ହାତର ପରଶ ବୁଣଇ ହରଷ
ଦୁଃଖ ଉଭାନ କି ସତେ !
ସେବା ଯତନରେ ଧାଈଟିଏ ସିଏ
ପାବନୀ ଗଙ୍ଗା ହୃଦୟ
ଖାଦ୍ୟ ଯୋଗାଡ଼ରେ ସାକ୍ଷାତ୍ ଅନ୍ନପୂର୍ଣ୍ଣା
ବୁହାଇ ମମତା ସୁଅ ।
ସ୍ବର୍ଗସୁଖ ବଳି କୋଳର ପରଶ
ପରିତୃପ୍ତି ସ୍ବର ତୋଳେ
ତା’ ସମାନ କେହି ଅଛି ଆଉ କାହିଁ
ଆମ ଏହି ଭୂମଣ୍ଡଳେ ।
ପ୍ରତ୍ୟେକ ସନ୍ତାନ ତା’ ପାଖରେ ଋଣୀ
ସୁଝିବାକୁ ନାହିଁ ବଳ
ତାହାର ରକ୍ତରେ ଯେଉଁ ଦେହ ଗଢ଼ା
ପରିଣତରେ ହିଁ ଥଳ ।
ଏତିକି ମାତର ଧରିଲେ ମନରେ
ଆଶୀର୍ବାଦ ଝର ଝରି
ପରିବାର ସହ ରହିବେ ସନ୍ତାନେ
ହସଖୁସି ଘର କରି ।
