କାହାକୁ କହିବି ସୁଖୀ ପରିବାର
କାହାକୁ କହିବି ସୁଖୀ ପରିବାର
ପିତାମାତା ଭାଇ ଭାଉଜ ଭଗିନୀ
ସ୍ତ୍ରୀରି ପିଲାଛୁଆ ଏ ସଭିଙ୍କୁ ଘେନି
ହୁଏ ସୁଖୀ ପରିବାର
କାହାକୁ କହିବା ସୁଖୀ ପରିବାର
ଯା' ର ନାହିଁ ଥଳକୁଳ ।
ଯେତେ ଭାଇ ସେତେ ହାଣ୍ଡି ତ ହେଲେଣି
କୋର୍ଟ କଚେରୀରେ ମାମଲା ଛିଣ୍ଡେନି
ପାଚେରୀ ହେଲେଣି ଠିଆ
ଏ ଘରେ ଛ' ମାସ ସେ ଘରେ ଛ' ମାସ
ଜନ୍ମ କଲା ବାପା ମାଆ ।
ଚାକିରୀ କଲା ଯେ ପଛକୁ ଚାହେଁନି
ବାପା ମାଆ କଥା କହିଲେ ସରେନି
ଖୋଜନ୍ତି ଅନାଥାଶ୍ରମ
ପୁଅ ଶୋଉଥାଏ ଶୀତ ତାପ ଗୃହେ
ବୋପାକୁ ମିଳେନି ଅନ୍ନ ।
ଭାଇ ତଣ୍ଟି କାଟେ ଭାଇର ଏଇଠି
ସ୍ବାମୀ ସ୍ତ୍ରୀ ମଧ୍ୟେ ଝଗଡା ଯେ ନିତି
ସବୁରି ମୂଳରେ ଧନ
ଅଭାବ ହୋଇଲେ ଅମାପ ରହିଲେ
ସ୍ବାର୍ଥ ବାଦ ନିଏ ଜନ୍ମ ।
କେହି ବୁଝେ ନାହିଁ କା ଦୁଃଖ ଏଇଠି
ନିଜ ସ୍ବାର୍ଥ ପାଇଁ ପକାଏ ସାଉଁଟି
ବୁଝେନି ରକତ ପ୍ରେମ
ଏହା ଧ୍ରୁବ ସତ୍ୟ ପାଠର ମହତ୍ୱ
ସ୍ବାର୍ଥ ହୁଏ ସ୍ୱାଭିମାନ ।
ପଛର କଥାକୁ ଚାହୁଁ ଥିବ ଥରେ
ଏ ବୃକ୍ଷ ବଞ୍ଚିଛି କାହା ଦାନ ଜଳେ
ସୁଖୀ ହେବ ଏ ଜୀବନ
ଫିଙ୍ଗିଲେ ଟେକାଟେ ଥୁଆ ପଥରଟେ
ଆଗୁଁ ହୁଅ ସଚେତନ ।
ନିଜେ ହୋଇ ସୁଖୀ ଗଢ଼ୁଥିବ ଦେଖି
ସୁଖୀ ପରିବାରଟିଏ ଯେ ଏଇଠି
ସମାଜ ପାଇଁ ମଙ୍ଗଳ
ଦେଖିବ ଶିଖିବ ସମାଜ ଜାଗିବ
ଆଦର୍ଶର ପରିବାର ।
