କାଗଜ଼ଡଙ୍ଗା
କାଗଜ଼ଡଙ୍ଗା
କାଗଜ଼ ଡଙ୍ଗା ମୋ ଭାସି ଯାଉଥିଲା,
ଦୋହଲି ଦୋହଲି ହସି ଯାଉଥିଲା,
ଯେତେ ଝଡ଼ ଝଞ୍ଜା ଏଡ଼ି ଏଡ଼ି ଅବା
ଜୀବନ ଗଣିତ କଷି ଯାଉଥିଲା ।।
ଓଳି ନିଗିଡ଼ା ସେ ପାଣି ନାଲି ନାଲି
କହୁଥିଲେ ବେଗେ ଚାଲି ଯାଆ ବୋଲି
ପାଳ ଛପରର ପାଣିର ଆଘାତ
ବାଧାକୁ ଆଡ଼େଇ ଖସି ଯାଉଥିଲା ।।
ଅଳପ ଉତ୍ସାହ ଅନେକ ଆବେଗ
ଦେଖୁଥିଲି ଭିଜି ଜୀବନର ଠାବ
ଓଲଟି ଗଲେ ମୁଁ ତୋଳି ଧରୁଥିଲି
କାନ୍ଦୁ କାନ୍ଦୁ ଅବା ହସି ଚାହୁଁଥିଲା ।।
ହସରେ ଥିଲା ତା ବୁକୁ ଫଟା କୋହ
ମେଘରେ ମେଘରେ ଧୋଉଥିଲା ଲୁହ
ମନରେ ଅନେକ ଆବେଗ ଆବୋରି
ଓଦା ଆଖି ମେଲି ହସି ଚାହୁଁଥିଲା ।।
କେ' ଯାଏ ମିଳିବ ହାତର ଆସର
ବରଷୁଛି ମେଘ ଅସରା ଅସରା
ଆଗକୁ ଅନେକ ବାଧା ଜାଣି ଜାଣି
ପାପୁଲିରେ ଲୁହ ନେସି ଯାଉଥିଲା।।
ମନର ଡରକୁ ଡରେଇ ଡରେଇ
ଜୀବନ ପଥରେ ଯାଅ ତୁ ଆଗେଇ
ଅଟକି ଯିବାଟା କାପୁରୁଷ ପଣ
ଜୀଇଁବାର ନିଶା ବେଶୀ କହୁଥିଲା।
କାଗଜ଼ ଡଙ୍ଗା ମୋ ଭାସି ଯାଉଥିଲା।।
**************************
