କାଗଜ ଡଙ୍ଗା
କାଗଜ ଡଙ୍ଗା
ଆକାଶୁ ମେଘକୁ, ହାତ ଠାରି ଡାକିଛି, ମୁଁ,
ଆ'ରେ ମେଘ, ଆ
ମୋ ମାଟି ଅଗଣା ରେ, ବରଷା ଘୁଙ୍ଗୁରେ,
ଛମ ଛମ ନାଚି ଯାଆ।
ଅଝଟିଆ ପିଲାବେଳେ, ସାଙ୍ଗ,ସାଥି ମେଳେ,
କାଗଜ ଡଙ୍ଗା ମୁଁ ଦେଲି ଭସେଇ।
ଗୋହିରୀ ଦାଣ୍ଡେ, ନାଳ ନର୍ଦ୍ଦମେ,
ଭଉଁରୀ କାଟି, ହଲି ଦୋହଲି ଭାସି ଛି
ସେ କେତେ।
ଭାସି ଯାଆ ମୋ କାଗଜ ଡଙ୍ଗା ଭାସି ଯାଆ ।
ପାଣି ପଚ ପଚ କାଦୁଅ ପଙ୍କେ, ପାଣି ଛାଟି,
ସାଥି ମେଳେ, ଗାଇ ଛି କେତେ।
ଯୁବ ବୟସେ, ଯୌବନ ନିଶେ,
ଫଗୁଣ ରସେ, ବସନ୍ତ ରାସେ,
ପାନ ପତରେ,ଫୁଲ ଶର ମାରି
ମୋ ମନ ଡଙ୍ଗା ଦେଲି ଭସେଇ।
କେଉଁ ତୁଠରେ, ରଙ୍ଗେଇ ଘାଟରେ,
କିଏ ତନୁ ପାତିଳୀ,କନକ ଗୋରୀ,
ନେଲା ଗୋଟେଇ।
ଆଜି ଯାଏଁ ମୁଁ ଖୋଜୁଚି କେତେ!
କାଗଜ ଡଙ୍ଗା ମୋ ହେଲା ବୋଇତ।
ବଣିଜ କରିବାକୁ ଗଲି ବିଦେଶ।
ଅଧା ଚାନ୍ଦେ ବାପା ଗଲେ, ପୁରା ଚାନ୍ଦେ ମା
ନିରିମାଖୀ ତଅପୋଇ, ଅଲି ଅଳି ଯେମାମଣୀ,
ଘଂଚ ଜଙ୍ଗଲେ,ବରଷା କାଳେ, କିଟିମିଟ ରାତି,
ମୂଷା ଲେଣ୍ଡି ଭାତ ସଙ୍ଗେ, ମିତ ବସି ବସି,
ଖୋଜି ବୁଲୁ ଥାଏ, ଭାଉଜଙ୍କ ଘର ମଣୀ।
କାଗଜ ଡଙ୍ଗା ଯେବେ ହେଲା ଦଦରା।
ଭସେଇ ଦେଇଛି ରଖି ଜୀବନ ପସରା।
ଭଉଁରୀ ରେ ବୁଡି ଉଠି ଦୋହଲି, ଦୋହଲି,
ଖୋଜି, ଖୋଜି ଘାଟତୁଠ, ଯାଏ ଭାସି ଭାସି
କେଉଁ ଦିନ, କେବେ, ଲାଗିବ କେଉଁ ଘାଟରେ।
ଏ କୂଳେ ମୁଁ ପଥଚାରୀ, ମଊନେ ଦିନ ଗଣେ ବସି।