STORYMIRROR

Niranjan Mishra

Inspirational

4  

Niranjan Mishra

Inspirational

ଜୟ ମା ମଙ୍ଗଳା

ଜୟ ମା ମଙ୍ଗଳା

2 mins
466

ପ୍ରାଚୀ ନଦୀ ପୂର୍ବ ତଟେ ପୟୋନିଧି ସନ୍ନିକଟେ

ପାଥୋଜ ପୁଷ୍ପେ ନିବିଷ୍ଟା ଜଗଜ୍ଜନନୀ

ପୂର୍ଣ୍ଣ ଶଶାଙ୍କ ଧାରିଣୀ ସୁଚାରୁ ମୁଖ ହାସିନୀ

ପଦ୍ମ କଳିକା ନକ୍ଷତ୍ର ମାଳା ଧାରିଣୀ

ଜଗଦମ୍ବା ଜନନୀ ମୋର

ବାରମ୍ବାର ନମେ ମାତ ଚରଣେ ତୋର ।


ଚତୁର୍ଭୁଜ ପାଏ ଶୋଭା ଦିଶେ କେଡେ ମନଲୋଭା

ନାନା ରତନ ଜଡିତ ଦିବ୍ୟ ଭୂଷଣ

ଶାନ୍ତା ସର୍ବ ବରପ୍ରଦା ଆବର ସର୍ବ ଶୁଭଦା

କୁଶଳା ବନ୍ଦଇ ମାତ ତୋର ଚରଣ

ଜନନୀ ମୋ ସର୍ବ ମଙ୍ଗଳା

କେତେ ରୂପେ ଏ ଧରାରେ କରୁ ତୁ ଲୀଳା ।


ଷୋଡଶ ବୟସ ତୋର ଯଉବନ ସଦା ସ୍ଥିର

ବିମ୍ବୋଷ୍ଠୀ ସୁଦତ୍ତୀ ଶ୍ୱେତ ପଦ୍ମ ଆନନା

ମାତ ଶୁଦ୍ଧା ଜଗଦ୍ଧାତ୍ରୀ ମହାମାୟୀ ସର୍ବ ଦାତ୍ରୀ

ସଭିଙ୍କୁ ସର୍ବ ସମ୍ପଦ ହରଷମନା

ସର୍ବ ମଙ୍ଗଳର କାରିଣୀ

ସର୍ବ କଲ୍ୟାଣ କାରିଣୀ ମା ଠାକୁରାଣୀ ।


ଜାଣେନା ମୁଁ ଯନ୍ତ୍ର ତନ୍ତ୍ର ଜାଣେନାହିଁ ତୋର ମନ୍ତ୍ର

ତୋର ପୂଜା ଉପଚାର କିଛି ଜାଣେନା

କେବଳ ଜାଣିଛି ମୁହିଁ ତୁହି ମାତ ଦୟାମୟୀ

ପୂରଣ କରୁ ସଭିଙ୍କ ସବୁ ବାସନା

ସେହି ଦୟା ସଭିଙ୍କୁ ଥାଉ

କାଳେ କାଳେ ଦୟା ତୋର ଅତୁଟ ରହୁ ।


କୁପୁତ୍ର ଜନମି ପାରେ କୁମାତା ନାହିଁ ସଂସାରେ

କୁପୁତ୍ର ଜନମ ମୋର ସୁମାତା ତୁହି

ତୋ ଚରଣେ ଆଶ୍ରା ଦେଇ ଯଦି ନ ରଖିବୁ ତୁହି

କାହାର ମୁଁ ହେବି କହ ଗୋ ମହାମାୟୀ

ଜନନୀ ମୁଁ ଆଶ୍ରିତ ତୋର

ଘଣ୍ଟ ଘୋଡାଇ ରଖିବୁ ଏ ଅଳି ମୋର।


ଆସୁ ଜୀବନେ ବିପଦ ଆସିଲେ ଆସୁ ସମ୍ପଦ

ବିଚଳିତ ହେବି ନାହିଁ କେବେ ଏଥିରେ

ଧଇର୍ଯ୍ୟ ତୁହି ମୋହର ତୋର ବିନୁ ନାହିଁ ଆର

ଚିନ୍ତନ କରିବି ତୋ ଅଭୟ ପୟରେ

ମଙ୍ଗଳ କାରିଣୀ ମଙ୍ଗଳା

ଗଳେ ଲମ୍ବିଛି ତୋ ମନ୍ଦାର ପୁଷ୍ପ ମାଳା ।


ମଙ୍ଗଳ ବାର ତୋ ପ୍ରିୟ ସଭିଙ୍କର ତୁହି ପ୍ରିୟ

ହରି ନିତମ୍ବିନୀ ସିଦ୍ଧିଦାତ୍ରୀ ତୁ ମାତ

କେତେ କେତେ ନାମ ତୋର କେ କହି ପାରେ ତୁଣ୍ଡର

ତିନି ପୁରେ ସବୁ ନାମ ହୋଇଛି ଖ୍ୟାତ

କରୁଣା ଦୃଷ୍ଟିରେ ଚାହିଁବୁ

ଜଗତ ଜନଙ୍କ ପାପ ତାପ ନାଶିବୁ ।


Rate this content
Log in

Similar oriya poem from Inspirational