ଜୟ ମା ଦୁର୍ଗା
ଜୟ ମା ଦୁର୍ଗା
ମମତାମୟୀ ଗୋ ସେନେହମୟୀ ଗୋ
ମନ ଝୁରେ ତୁମ ପାଇଁ
ଆସି ଥିଲ ବୋଲି ଏ ଧରା ପୃଷ୍ଠାରେ
ଦୁଃଖ ବୁଝା ପଡେ ନାହିଁ
ଏବେ ଶୁନ୍ୟ ଲାଗେ ସାରା ଭୁବନ ମା
ସତେ ଅନ୍ଧକାର ନାଇ ।
ମମତାମୟୀ ଗୋ
କେତେ ଦୁଃଖି ରଙ୍କି ତୁମ ଛବି ଆଙ୍କି
ଗୁହାରି କରିଲେ ପାଶେ
କିଏ ଆଡମ୍ବର ଲୋକ ଦେଖାଣିଆ
କିଏ ତ ପୂଜଇ ହର୍ଷେ
ସବୁ ଦେଖି ତୁମେ ଯେବେ ଚାଲି ଗଲ
କାନ୍ଦେ ତୁମ ଗୁଣ ଗାଇ ।
ମମତାମୟୀ ଗୋ
ଶରତେ ଆଶ୍ଵିନ ପବିତ୍ର ପାର୍ବଣେ
କେତେ ଯେ ଆନନ୍ଦ ମଜା
ବିଜୟ କରିଲ ଭକତ ହୃଦୟ
ବିଦାୟରେ ଲାଗେ ସଜା
ଅଶ୍ରୁଳ ନୟନେ ଚାହିଁ ମୁଁ ରହିଛି
ଆଜି ଶୁନ୍ୟ ହାତ ନେଇ ।
ମମତାମୟୀ ଗୋ
ବୃକ୍ଷ ଗହଳରୁ ଶୁକ ପିକ ସ୍ବର
ଶିଥିଳ ପଡ଼ିଛି ସତେ
ଅଳି କରେ ନାହିଁ ସନ୍ତାନ ଆଜି ମା
ଦୁର୍ଗା ଦେଖାଇବ ମୋତେ
କେତେ ମାୟା ମୋହ ଲଗାଇଲ ମା
ଦଶ ଦିନ ଧରା ଛୁଇଁ ।
ମମତାମୟୀ ଗୋ
ପ୍ରାଚୀ କାନ୍ଥେ ଆଜି ଅରୁଣିମା ଦୃଶ୍ୟ
ହେଉ ନାହିଁ ପ୍ରକଟିତ
ଅଦୃଶ୍ୟ କୋହ ତ ହୃଦୟେ ଉପୁଜେ
ତୁମେ ଗଲା ପରେ ମାତ
ପ୍ରଭାତୀର ଗୀତି ରହିଛି ମା ଲୋ
ଆଗାମୀ ବର୍ଷକୁ ଚାହିଁ
ମମତାମୟୀ ଗୋ ।
