ଜନ୍ମବେଦୀର ମୋହ
ଜନ୍ମବେଦୀର ମୋହ
ସଜେଇ ହୋଇଛି ଗୁଣ୍ଡିଚା ମନ୍ଦିର,
ଆସୁଛି କାଳିଆ ସୁନା ।
ସାଥିରେ ଅଛନ୍ତି ଭ୍ରାତା ବଳଭଦ୍ର,
ଭଉଣୀ ପଦ୍ମନୟନା ।
ବରଷେ ହେଲାଣି ଯାଇଥିଲେ ପରା,
କଥା ଦେଇ ଗୁଣ୍ଡିଚାଙ୍କୁ ।
ଅନାଇ ଅଛନ୍ତି ପlଟ୍ଟମହାଦେଇ,
ଆଷାଢ଼ ଦ୍ଵିତୀୟା ତିଥିକୁ ।
ଜନ୍ମବେଦୀ ମୋହ ଛାଡ଼ି ପାରନ୍ତିନି,
ସ୍ନେହ ଶିକୁଳିରେ ବନ୍ଧା ।
ଆଡପ ମଣ୍ଡପେ ଆଡପ ଅଭଡ଼ା,
ଖାଇବେ ମା ହାତ ରନ୍ଧା ।
ରଥରେ ଆସିବେ ଭକତ ଦେଖିବେ,
ବିସ୍ତାରିତ ଦୁଇ ଭୁଜ ।
ଡାକୁଛନ୍ତି ପ୍ରଭୁ ଆସ ମୋ ଭକତ,
ମନୁ ଅଭିମାନ ତେଜ ।
ଭାବର ଠାକୁର ଭାବ ଡୋରେ ବନ୍ଧା,
ଡାକିଦେଲେ ସରାଗରେ ।
ରତନ ବେଦୀରୁ ଓହ୍ଲାଇ ଆସନ୍ତି,
ବିଜେ କରନ୍ତି ନନ୍ଦିଘୋଷ ରେ ।
ବଡ଼ଦାଣ୍ଡେ ବୁଲି ଭକତ ମେଳରେ,
ବୁଝନ୍ତି ସେ ସୁଖ ଦୁଃଖ ।
ଏମିତି ବନ୍ଧୁଟେ ଜଗତରେ ନାହିଁ,
କାଳିଆ ସେ ପଦ୍ମମୁଖ ।
କଥା ଦେଇଥିଲା ଗୁଣ୍ଡିଚା ମା କୁ,
ତା କୋଳରେ ନବ ଦିନ ।
ବାତ୍ସଲ୍ୟ ମମତା ମହନୀୟ ତାରେ,
ହେବ ନାହିଁ କେବେ କ୍ଷୁର୍ଣ୍ଣ ।
କଥା ସେ ରଖିଛି ରଖି ଆସୁଅଛି,
ରଖୁଥିବ ସବୁଦିନ ।
ମହାବେଦୀ ଡାକ ଭୁଲି ପାରିବନି,
ମନେ ପଡେ ଇନ୍ଦ୍ରଦ୍ୟୁମ୍ନ ।
ମନେ ପଡୁଅଛି ଏଇଠି ତା ଜନ୍ମ,
ଅନ୍ତର୍ବେଦୀ ଯଜ୍ଞ ଶାଳା ।
ମରଣନ୍ମୁଖୀ ଶରୀର ବାର୍ଦ୍ଧକ୍ୟ,
ସେ ଅନନ୍ତ ମହାରଣା ।
ରୁଦ୍ଧ କୋଠରୀର ଠକ ଠକ ଧ୍ୱନୀ,
ମହାବେଦୀ ପାଶେ ଶୁଭେ ।
ମହାଦାରୁଙ୍କର ପୂର୍ଣ୍ଣବ୍ରହ୍ମ ଜ୍ୟୋତି,
ବିଗ୍ରହ ପ୍ରକାଶ ଭବେ ।
ମାନବୀୟ ଲୀଳା କରୁଛନ୍ତି ପ୍ରଭୁ,
ଗୁଣ୍ଡିଚା ତପସ୍ୟା ଲାଗି ।
କେଡେ ଭାଗ୍ୟବତୀ ଜଗତ ନାଥଙ୍କୁ,
ପୁତ୍ର ରୂପେ ନେଲା ମାଗି ।
ହାତରେ ରାନ୍ଧିବ ଆଡପ ଅବଢ଼ା ।
ମିଶାଇ ବାତ୍ସଲ୍ୟ ସ୍ନେହ ।
ମହାବେଦୀ ପରେ ଖୁଆଇ ଦେବ ସେ,
ପଣତେ ପୋଛିବ ମୁହଁ ।