ଜନ୍ମ ଜାତ ଗୁଣ
ଜନ୍ମ ଜାତ ଗୁଣ
ବସନ୍ତରେ ସବୁ ପତର କଅଁଳେ
ବାଉଁଶ ପତର ଝଡି ପଡ଼ଇ ,
ବାଉଁଶ ଗଛର ଦୋଷ ନୁହେଁ ସେହି
ସେ'ତ ଜନ୍ମଜାତ ଗୁଣ ଅଟଇ ।
କାଠ କୋଇଲାରୁ କେବେ ହେଲେ କଣ
ମିଳିଲାଣି କେବେ ଅମୂଲ୍ୟ ହୀରା ?
ସବୁ କିଛି ଥାଇ ତଥାପି ମଣିଷ
ମରୀଚିକା ପଛେ ଧାଉଁଛି ପରା ।
ମୋହରେ ପଡ଼ିତ ମଣିଷ ବଞ୍ଚିଛି
ଆଶାକୁ କେବେହେଁ ମାରି ପାରେନି ,
ଜାଣିଛି ଆଶା ହିଁ ଦୁଃଖର କାରଣ
ଆଶାରେ କି ଲାଭ ବୁଝି ପାରେନି ।
ମରୀଚିକା ପଛେ ମଣିଷ ଧାଉଁଛି
ଧାଇଁଲେ ମେଣ୍ଟିବ କି ନିଜ ତୃଷା ?
ମୃଗତୃଷ୍ଣା ପରି ତଥାପି ଧାଉଁଛି
ତ୍ୟାଗୀ ପାରେ ନାହିଁ ନିଜର ଆଶା ।
ପତଙ୍ଗ ପରିକା ମଣିଷ ବିଚରା
ବୁଝି ପାରେ ନାହିଁ ଅଗ୍ନି କୁ ଡିଏଁ ,
କ୍ଷଣିକ ଉଲ୍ଲାସ ମୋହ ଗସ୍ତ ହେଇ
ଝାସ ଦେବା ପାଇଁ ପାଗଳ ହୁଏ ।
ଯାହାର ଯେପରି ଜନ୍ମ ଜାତ ଗୁଣ
ଆପେ ଆପେ ତାହା ଫୁଟି ଉଠଇ,
ଶେଷରେ ବାଉଁଶ ପତର ପରିକା
ନିଜ ସମୟରେ ଝଡି ପଡ଼ଇ ।