ମୋ ବାପାଙ୍କ ଆଙ୍ଗୁଳି
ମୋ ବାପାଙ୍କ ଆଙ୍ଗୁଳି
ମୋ ବାପାଙ୍କ ଆଙ୍ଗୁଳି,
ଜୀବନରେ ନୈପଥ୍ଯର
ଦୀର୍ଘ ରାଜପଥ ଚିହ୍ନ
ଆଉ ଜଟିଳ ଦ୍ରାଘିମାରେ ଏକ ଗାଢ଼ ବର୍ଣ୍ଣ ।
ଏନ୍ତୁଡ଼ିଶାଳରୁ ସେ ଆଙ୍ଗୁଳିକୁ
ଦେଖୁ ଦେଖୁ ମୁଦି ଦେଉଥିଲି
ଏ କଅଁଳ ପାପୁଲିରେ,
ଅସୁମାରୀ ଆଶାରେ,
ଅନନ୍ୟ ଭରସାରେ,
ଅସିମିତ ବିଶ୍ଵାସରେ ।
ମୋ ବାପାଙ୍କ ଆଙ୍ଗୁଳି,
ଏ ମନର ଅତଳ ପ୍ରାନ୍ତରେ
ନିରଂକୁଶ ପାହାଚଟେ
ଆଉ ଜ୍ଵଳନ୍ତ ସଳିତାର ସ୍ଵଝାସ ଶିଖାଟେ ।
ଗୁରୁଣ୍ଡୁ ଗୁରୁଣ୍ଡୁ ଛିଡ଼ା ହେବାର
ବାରମ୍ବାର ଜିଜ୍ଞାସା ପୁଣି ପ୍ରୋତ୍ସାହନ
ଦେଖେ ସେ ଆଙ୍ଗୁଳିରେ,
ଥରକୁ ଥର ପଡ଼ି ଗଲା ପରେ,
ତୁମକୁ ଜଡାଇ ଧରିବାରେ,
ମଦମତ୍ତ ଉତ୍ସାହରେ ।
ମୋ ବାପାଙ୍କ ଆଙ୍ଗୁଳି ,
ଉତ୍ ଶୃଙ୍ଖଳ ଓଳି ତଳେ
ଜାଗୃତତାର ଧୂମ ବହ୍ନି ଟିଏ
ଆଉ ପ୍ରଚଣ୍ଡ ଗ୍ରୀଷ୍ମରେ ବଜ୍ରଟିଏ ।
ଶିକ୍ଷାର ମହତ୍ତ୍ଵରେ ବି ...
ସେ ଆଙ୍ଗୁଳି କାନ ମୋଡେ କେବେ
ଅଂକ କଷା ଭୁଲରେ,
ଅମାନିଆ ଭରା ଦୁଷ୍ଟାମୀରେ,
ଅସ୍ତବ୍ୟସ୍ତ କଲାପରେ
ଅତିଶୟ ଅଧୈର୍ଯ୍ଯରେ ।
ମୋ ବାପାଙ୍କ ଆଙ୍ଗୁଳି ,
ପ୍ରାର୍ଥିତ ପ୍ରହରର ଅକାଟ୍ଯ ବଚନ
ଦୃଢତାରେ ନିର୍ଦ୍ଦେଶ କରେ
ଆଉ ବିନା ତର୍କ ସମୀକ୍ଷାରେ ।
କେହିବି ନୁହେଁ କି ତୁମେ ନୁହେଁ
ଛାୟାଛ୍ଛନ କରିବେନି
କ୍ଳୀଷ୍ଟଛାୟାର ପରାଗରେ,
ଶିରୋଧାର୍ଯ୍ଯ ସବୁଥିରେ,
ଜୀବନର ବିନ୍ୟାସରେ,
ସ୍ଵପ୍ନର ଜର୍ଜରିତ ମହଲରେ ।
ମୋତେ ବୋଧେ ବଡ଼ ଭାବିଲେଣି ,
ସମନ୍ଵୟେ ନିରବତା
ସୃଷ୍ଟି କରେ ଉଦାସ ମନରେ
ଆଉ ମୂର୍ଚ୍ଛନା ଧୂମାଭ ସୁରରେ,
ତୁମ ଠାରୁ କାଲି ଯେତେ ସାନ
ଆଜି ବି ସେତିକି ସାନ
ବାପା, ହିସାବ କରି ଦେଖ ଥରେ,
ହିସାବୀ ହୁଅନା ଆକଟରେ,
ମୋର କଣ ଭୁଲ୍ ହେଉନି କେଉଁ ଥିରେ,
ମୁଁ ଏବେବି ଚାଲିବି ସେ ଆଙ୍ଗୁଳିରେ ।