ଜଳୁଛି ଜୁଇ
ଜଳୁଛି ଜୁଇ
ହସୁଛି କୋରୋନା ଜଳୁ ଅଛି ଚିତା
ମଶାଣିରେ ଶବ ଗଦା ।
କାନ୍ଦେ ସାଙ୍ଗ ସାଥି ଆତ୍ମୀୟ ସ୍ୱଜନ
ପଣତ ମାଆର ଓଦା ।।
କାନ୍ଦୁଛି ଯେ ଘର କାନ୍ଦଇ ସହର
ଆତ୍ମୀୟର ବିରହରେ ।
ଛୁଇଁ ପାରୁନାହିଁ ନିଜର ବି ହୋଇ
ଦେଖୁଛି ଲୁହ ଆଖିରେ ।।
ଦେଇ ନ ପାରଇ ବାପ ମୁହେଁ ନିଆଁ
ଅବା ପୁଅ ଭାଇ କାନ୍ଧ ।
ଛଖଣ୍ଡ ବାଉଁଶ ଅଧୁନା ଅଲୋଡା
ପାଳ କେ କହିବ ବାନ୍ଧ ।।
ଅଦ୍ୟ ଯେ ପଡୁନି ଖଇ କି କଉଡ଼ି
ମାଥେ ଲାଗୁନି ଅବିର ।
ତୁଳସୀ ଚନ୍ଦନ ଲୋଡା ଆଜି କାହିଁ
ଯାଉନିରେ ଭାତ ଘର।।
ବୁଝି ଯାଆରେ ନର ଠିକଣା ତୋହର
ଶେଷ ଅଟଇ ମଶାଣି ।
ମିଛେ ମର ତର କହୁଛୁ ହଜାର
ସବୁ ତୁହି ଜାଣି ଶୁଣି ।।