ଜଳ ହିଁ ଜୀବନ
ଜଳ ହିଁ ଜୀବନ
ଜଳରେ ଜୀବନ ଜଳରେ ମରଣ
ଜଳରେ ଚାଲେ ସମଗ୍ର ସଂସାରେ
ଜଳ ବିନା ଏଠି କାହାର ଅସ୍ତିତ୍ଵ
ଏଠି ରହି ପାରେ ପ୍ରାଣ କାହାର?
କେବେ ତୋଳେ ସିଏ ଇନ୍ଦ୍ରଧନୁଟିଏ
ପାତ୍ରରେ ପ୍ରଭାତେ ଶିଶିର ସାଜି
କେବେ ଝରି ଯାଇ ପର୍ବତ କୋଳରୁ
ଶେଷରେ ସାଗରେ ଯାଏ ସେ ହଜି I
ରଙ୍ଗହୀନ ହୋଇ ରଙ୍ଗ ଭରି ଥାଏ
ଫଗୁଣେ ଆସିଲେ ଫଗୁର ପର୍ବ
ଆକାର ନ ଥାଏ ତାହାର ନିଜର
ଧାରଣ କରେ ସେ ଆକାର ସର୍ବ !
ବାଷ୍ପିଭୂତ ହୋଇ ନଭରେ ସଜାଏ
ଯାହା ଧବଳ ମେଘର ସମ୍ଭାର
ଘନୀଭୂତ ହୋଇ ଆବରଣ ସାଜି
ତୁଷାର ରୂପେ ଘୋଡ଼ାଏ ସଂସାର !
ଜଳର ସଞ୍ଚାର ତା'ର ସଂରକ୍ଷଣ
ମୂଲ୍ୟ ଯଦି ନର ଜାଣି ପାରିବ
ଶୁଷ୍କ ମରୁଭୂମି ମାଟିରେ ମଧ୍ୟ ସେ
ଜୀବନର ସୃଷ୍ଟି କରି ପାରିବ I