ଜିଜ୍ଞାସା(ଶିଶୁକବିତା)
ଜିଜ୍ଞାସା(ଶିଶୁକବିତା)
ମଥାପରେ ମୋର ବିଶାଳ ଗଗନ
ପାଉନାହିଁ ହାତ ମୋର,
ଭୂମିପରେ ଅଛି ପାଦ ଦୁଇଗୋଟି
ଧରିତ୍ରୀ ମାଆର କୋଳ |
ଟିକି ଟିକି ଆଶା ଟିକି ସ୍ୱପ୍ନ ମୋର
ଆକାଂକ୍ଷିତ ପ୍ରାଣଟିଏ,
ବିଶାଳ ସଂସାର କିଏ ଦେଲା ଗଢ଼ି
ଜାଣିବାକୁ ମନ ଚାହେଁ |
ଦିନ ପରେ ରାତ୍ରି ଶୀତଳତା ତାତି
ଉଷ୍ମ,ବର୍ଷା,ଶୀତ ପୁଣି,
କିଏ ଗଢ଼ିଦେଲା ପାହାଡ଼,ଝରଣା
ପାରେନାହିଁ ମୁଁ ଯେ ଜାଣି |
ରାତ୍ରି ଅନ୍ଧକାରେ ଆକାଶ ଛାତିରେ
ଅଗଣିତ ତାରା ମେଳି,
ଜହ୍ନମାମୁଁ ହସ ଲାଗୁଚି ସରସ
ଦିଅନ୍ତା କି କିଏ ତୋଳି |
ସୁଲୁସୁଲୁ ବହେ ଶୀତଳ ପବନ
ଦେଖିହୁଏନାହିଁ କାହିଁ,
ଆକାଶକୁ ଚିରି ବର୍ଷିଯାଏ ବାରି
କିପରି ସମ୍ଭବ ଏହି |
କେତେ ପଶୁ,ପକ୍ଷୀ,ବୃକ୍ଷ ଓ ମନୁଷ୍ୟ
କେହି ନୁହେଁ କାହାପରି,
କିଏ ଗଢ଼ିଦେଲା ଅଗଣିତ ରୂପ
ସିଏ ଅଟନ୍ତି କିପରି |
ମନରେ ଜିଜ୍ଞାସା ମେଣ୍ଟେନାହିଁ ଆଶା
ଜାଣିଛ କିଏ ଉତ୍ତର,
ଯାହାପାଇଁ ଠିଆ ବିଶାଳ ଦୁନିଆଁ
କିଏ ତାର ସୂତ୍ରଧାର |