ଭୂମିକମ୍ପ ହେଲା (ଶିଶୁ କବିତା)
ଭୂମିକମ୍ପ ହେଲା (ଶିଶୁ କବିତା)
ହିମାଳୟ ପାଦଦେଶେ ବହୁଦିନ ତଳେ
ଶଶକ ଟେ ରହୁଥିଲା ତାଳବୁଦା ମୂଳେ ।
ଡଉଲଡାଉଲ ତା'ର ଚେହେରା ସୁନ୍ଦର
ତାଳଗଛ ମୂଳେ ତାର ଛୋଟିଆ ବିବର ।
ଦିନେ ଶଶକଟି ପାଶେ ଚରି ବୁଲି ଆସି
ବିବରେ ଘୁମାଉଥିଲା ଆନନ୍ଦରେ ବସି ।
ଏ କାଳେ ଶୁଭିଲା ଏକ ଭୀଷଣ ଶବଦ
ଶବ୍ଦ ଶୁଣି ଠେକୁଆର ଭାଙ୍ଗିଗଲା ନିଦ ।
ଭୂମିକମ୍ପ ହେଲା ଭୂମିକମ୍ପ ହେଲା କହି
ଦଉଡ଼ିଲା ଶଶକଟି ଲମ୍ୱଲମ୍ଫ ଦେଇ ।
ଭୂମିକମ୍ପ ହେଲା ହେଲା ଶଶକଠୁ ଶୁଣି
ଭୟେ ଦଉଡ଼ିଲେ ସର୍ବ ପଶୁ ଶୁଆ ବଣି ।
ପଥରେ ସଭିଙ୍କୁ ଦେଖି ମହାମନ୍ତ୍ରୀ ବାଘ
ଆଗ ଦଉଡ଼ିଲେ କହି ଭାଗ ଭାଇ ଭାଗ ।
ରାଜ୍ୟରେ ଆତଙ୍କ ଶୁଣି ସିଂହ ପଶୁରାଜ
ଚିନ୍ତାଗ୍ରସ୍ତ କି ହୋଇଲା କି ହୋଇଲା ଆଜ ।
ରାଜ୍ୟରେ ହୋଇଛି ଭୟଙ୍କର ଭୂମିକମ୍ପ
ପଶୁପକ୍ଷୀ ଗଣେ ଖେଳି ଯାଇଛି ଆତଙ୍କ ।
ପଚାରିଲେ ରାଜା ତହୁଁ କରି ଜଣେ ଜଣେ
କିଏ ଦେଖିଛି ଭୂକମ୍ପ ମୁହିଁ ଟିକେ ଶୁଣେ ।
ସର୍ବଶେଷରେ କହିଲା ଭୟାର୍ତ୍ତ ଠେକୁଆ
ମୋଟେ ମିଛ କହୁନାହିଁ ମୁହିଁ ପଶୁ ନାହା ।
ଠେକୁଆର ବାସ ପାଶେ ସର୍ବେ ମିଳି ଗଲେ
ତାଳପତ୍ରେ ବେଲ ଏକ ପଡ଼ିଛି ଦେଖିଲେ ।
ତୁଣ୍ଡର ବାଇଦ ବାଜେ ଶତେ ସହସ୍ର କୋଶ
ଭୂମିକମ୍ପ କାହାଣୀର ଏ ଅଟେ, ସନ୍ଦେଶ ।
