ରାକ୍ଷୀ ରହିବ ସାକ୍ଷୀ
ରାକ୍ଷୀ ରହିବ ସାକ୍ଷୀ
ମୋ ଭାଇ ହାତରେ ବାନ୍ଧିବି ରାକ୍ଷୀ ମୁଁ
ଆସୁଅଛି ଶୁଭଦିନ,
ବରଷକେ ଥରେ କେଡ଼େ ସରାଗରେ
ଅପେକ୍ଷା ରକ୍ଷା ବନ୍ଧନ ।।
ଭାଇ ଭଉଣୀର ପବିତ୍ର ସମ୍ପର୍କ
ଆଣେ ଏ ରକ୍ଷା କବଚ,
ଭଉଣୀର ସବୁ ଇଚ୍ଛାକୁ ପୂରଣ
କରୁଥିବ ବର୍ଷ ଯାକ ।।
କୁନି ଭଉଣୀକୁ ସୁରକ୍ଷା ପ୍ରଦାନ
କରିବାକୁ ଭାଇ ମୋର,
ବର୍ଷସାରା ସତେ ଜାଗ୍ରତ ପ୍ରହରୀ
ରହିଛି କେତେ ତତ୍ପର ।।
ଯେତେ ଦୂରେ ଥିଲେ ମଧ୍ୟ ଭାଇମାନେ
ଦଉଡ଼ି ଆସନ୍ତି ଘର,
ଭଉଣୀଠୁଁ ରାକ୍ଷୀ ବାନ୍ଧି ହେବାପାଇଁ
ମୁହୂର୍ତ୍ତଟି ମନୋହର ।।
