ଜୀଵନ
ଜୀଵନ
ତୁହାଏ ତୁହାଏ ଆଶା ର ସ୍ବପ୍ନକୁ
ଆଞ୍ଜୁଳା ଆଞ୍ଜୁଳା
ତୋଳିବାକୁ ଇଚ୍ଛା କରି
ହଠାତ ଝାଉଁଳି ଆସେ
ଆୟୁଷର ରଙ୍ଗ ।
ଏବେ ବୁଝି ସାରିଛି
ଜୀବନରେ ଅନ୍ଧାର ମାଡ଼ି ଆସିଲେ
ନିଜ ଛାଇ କିପରି
ନିଜ ଠୁ ବି ଦୂରେଇ ଯାଏ ।
ଶୁଖିଲା ପତ୍ରଟିଏ
ମୂଲ୍ୟହୀନ ଅହମିକା ସାଜି
ଛିଡେଇ ଦିଏ
ଆୟୁଷର ଡେ଼ମ୍ଫ ।
ଜୀବନ ଓ ମୃତ୍ୟୁର
ଲୁଚକାଳି ଖେଳ ଭିତରେ
ସମୟର ହାତ ଧରି
ଶିଖିଗଲିଣି ଦୁଃଖ ପାହାଡ଼କୁ
ପାରି ହେବା କୌଶଳ ।
ଆଉ
ବାଇ ଚଢେଇ ଠୁ ଶିଖିସାରିଛି
ଶୁଖିଲା ବରଡ଼ାରେ
ବସା ବାନ୍ଧିବାର କୌଶଳ ।