ଜୀବନଟା ବୋଧେ ଏମିତି ଦିଶେ
ଜୀବନଟା ବୋଧେ ଏମିତି ଦିଶେ
ଦେଖିନି ପାଖରୁ ଜୀବନକୁ କେବେ
ଏକାନ୍ତରେ ବସି ଯେବେ ମୁଁ ଭାବେ -
ହସିକି କାନ୍ଦେ, କାନ୍ଦିକି ହସେ
ଜୀବନଟା ବୋଧେ ଏମିତି ଦିଶେ।
ନଦୀ ବହିଯାଏ ସମୁଦ୍ର ଆଡେ
କେତେ ଅଙ୍କା ବଙ୍କା ପଥ ହାବୁଡ଼େ -
ପଥର କାଟେ, ପାହାଡୁ ଖସେ
ଜୀବନଟା ବୋଧେ ଏମିତି ଦିଶେ।
କିଛି ଚିରସ୍ଥାୟୀ ନୁହେଁ ସଂସାରେ
କେତେ ଝଡ଼ ଝଞ୍ଜା ଆସେ ରାସ୍ତାରେ -
ମାଟିର ଦେହ, ମାଟିରେ ମିଶେ
ଜୀବନଟା ବୋଧେ ଏମିତି ଦିଶେ।
ସବୁ ପ୍ରାଣୀଙ୍କର ଗୋଟେ ବିଚାର
ପେଟ ପୁରିଗଲେ ନୁହେଁ କାହାର -
ଖାଦକ ଆସେ, ଖାଦ୍ୟ ପାଶେ
ଜୀବନଟା ବୋଧେ ଏମିତି ଦିଶେ।
କର୍ମର ବିକଳ୍ପ କିଛି ତ ନାହିଁ
ଭାଗ୍ୟକୁ ସମସ୍ତେ ରୁହନ୍ତି ଚାହିଁ -
ମଣିଷ ମନ, ସ୍ୱପ୍ନରେ ଭାଷେ
ଜୀବନଟା ବୋଧେ ଏମିତି ଦିଶେ।