ଜୀବନ୍ତ ଈଶ୍ଵର
ଜୀବନ୍ତ ଈଶ୍ଵର
ଆଖି ଖୋଲିବା ଦିନୁ ଦେଖିଛି
ରାତି ରାତି ଅନିଦ୍ରା ହୋଇ
ନିଜ ରକ୍ତକୁ ପାଣି କରି ଯିଏ
ମାଟି ପରେ ଚଲାଇବା ଶିଖାଇଛି
ଚିହ୍ନାଇଛି ଏ ସୁନ୍ଦର ସଂସାରକୁ
ବୁଝାଇଛି ପାପ-ପୁଣ୍ୟ ସତ-ମିଛର
ମିଶାଣ-ଫେଡାଣର ଜଟିଳ ଅଙ୍କକୁ ।
ନର୍କରୁ ସ୍ଵର୍ଗକୁ ଟାଣିନେବାକୁ
ଦେଖାଇଛି ଅମୃତର ପଥଟିଏ
ଚଳଚଳ କରି ଗରମ ନିଶ୍ଵାସ ଲୁହକୁ ପିଇ
ନିଜେ ପଥର ପାଲଟିଯାଇଥିବା
ଜୀବନ୍ତ ଈଶ୍ଵର ଈଶ୍ଵରୀ ତୁମେ
ଜାଣେନି ସେ କାଠ କି ପଥର ପ୍ରତିମାରେ
ନାଲି ସୁନ୍ଦୁର ମାଖା ଭଗବାନଙ୍କୁ
ଯାହାଙ୍କୁ ସମସ୍ତେ ପୂଜନ୍ତି ଦିନରାତି
ଭିକାରୀ ଭଳି ଘଣ୍ଟାଘଣ୍ଟା ମାଗନ୍ତି
ଅସରନ୍ତି ଆଶାର ଲମ୍ଵା ତାଲିକାଟିଏ ଧରାଇ ।
ଘରେ ଛାଡି ନିଜ ମାତାପିତାଙ୍କୁ
ଦଉଡୁଛନ୍ତି ଆମେ ମରୀଚିକା ପଛେ
ମଠ ମନ୍ଦିର ବାବା ଆଶ୍ରମେ
ମନସ୍କାମନା ପରିପୂର୍ଣ୍ଣ ପାଇଁ
ଭୁଲିଯାଇଛୁ ନୈତିକତା ଆମେ
କଷ୍ଟ ଦେଇ ତାଙ୍କ ମନେ
ଡାକୁଥାଉ କଣ୍ଠ ଫଟାଇ କାହାକୁ କେଜାଣି
ଯାହାକୁ ଡାକିବାକୁ ହୁଏନି
କି ମାଗିବାକୁ ପଡେନି
ଆପେ ଆପେ ଅଜାଡିହୋଇଯାଏ
ଶିରେ ଆଶିଷର ହାତ ।
ଯିଏ ଖାଲି ଦେଇଜାଣିଛ
ନେବାର ଆଶା ନ ଥାଏ କେବେ
ଶୁଭ ମନାସେ ବିନା ସ୍ଵାର୍ଥେ
ଆଗକୁ ବଢିବାକୁ ପ୍ରେରଣା ଦିଏ
ଶତ ସିଂହର ବଳ ଆସିଯାଏ
ତା ପାଦ ଥରେ ଛୁଇଁଦେଲେ
ସମୁଦ୍ର ପହଁରି ହୁଏ
ହିମାଳୟ ଚଢିହୁଏ ଅକ୍ଳେଶରେ ।