ଜୀବନ
ଜୀବନ
ହାତ ପତେଇ ଭିକ ମାଗିବା ଜୀବନ,
ନା...
କୋଠାଘରେ ରହି ମଉଜ କରିବା ଜୀବନ ?
ବେଳେ ବେଳେ ନିରୋଳାରେ ବସି ଭାବେ,
ହସ ଲୁହର ଫେଣ୍ଟାଫେଣ୍ଟି ଅଟଇ ଜୀବନ,
ଆମୋଦେ ପ୍ରମୋଦେ ଭୁଲି ଯାଏଁ ମୁଁ,
ଆଜି ଯଉବନ ତ କାଳିକି ମରଣ l
ମାୟା ମରିଚିକା ପଛରେ ଧାଉଁ ଥିବା,
ମନକୁ ମୋର ବୁଝେଇ ପାରେନା କେବେ,
ଅବୁଝା କୁନି ଶିଶୁଟିଏ ପରି ସେ,
ଅନବରତ ନୂଆ ଅନ୍ଵେଷଣ କରି ବସେ l
ଯେବେ....
ସୁଖର ସ୍ଵପ୍ନ ସବୁ ଧୂଳିସାତ୍ ହେଇଯାଏ,
ହୃଦୟେ ସୃଷ୍ଟି ହୁଏ ମଶାଣିର ଶୂନ୍ୟତା,
ନରମିଯାଏ ନୂଆ ନୂଆ ଉତ୍ସାହ ସବୁ,
ଉଙ୍କିମାରେ ଭିତରେ ଲୁକ୍କାୟିତ ସବୁ ଦୁର୍ବଳତା l
ଓଠରୁ ଝରୁଥିବା ଟିକି ହସ ସବୁ,
ଫାଟି ଯାଏ ପାଣି ଫୋଟକା ପରି,
ଅନ୍ତର ଆତ୍ମାଟି କଇଁ କଇଁ କାନ୍ଦେ,
ଆଖିରୁ ଲୁହ କେତେ ଯାଏ ଝରି l
ବଞ୍ଚିବାର ପାଥେୟ ଖୋଜୁ ଖୋଜୁ ଯେବେ,
ରହିଯାଏ ସୁଖ ସ୍ଵପ୍ନ ଅଧା ଅଧା,
ଆତ୍ମାଟି ନର୍କ ଯନ୍ତ୍ରଣାରେ ଛଟପଟ ହୁଏ,
ମରିଯାଏ ଯେତକ ଅତୃପ୍ତ ଆତ୍ମାର ଆଶା l
ବୈଷ୍ଣବ ମେହେର
ଗଣ୍ଡାବାହାଲି, ନୂଆପଡା