ଜୀବନ
ଜୀବନ
ଆମ ଜୀବନର ଚଲାପଥେ ଆମେ କେତେ ଉପକୃତ ହେଉ,
କୃତଜ୍ଞତା କେବେ ଜଣାଇ ନପାରି ସଂସାରରୁ ଚାଲିଯାଉ ।
କହିବାକୁ କେବେ ସୁଯୋଗ ମିଳେନି କହିହୁଏ ନାହିଁ ଖୋଲି,
ଭାବିବାକୁ କେବେ ସମୟ ପାଉନା ବର୍ଷବର୍ଷ ଯାଏଚାଲି ।
ବାପା-ମାଆଙ୍କର ଅଭୟ ସୁରକ୍ଷା ଶ୍ରଦ୍ଧା ତ୍ୟାଗ ସେବାପାଇ,
ତାଙ୍କ ଶିକ୍ଷା-ଦୀକ୍ଷା ଆଶା-ବିଶ୍ୱାସରେ ଏତେବଡ଼ ହେଲିମୁହିଁ ।
ବନ୍ଧୁ ପରିଜନ ଗୁରୁ ଗୁରୁଜନ ଗ୍ରାମବାସୀଙ୍କ ପ୍ରେରଣା,
ଉପଦେଶ ଦାନ-ତ୍ୟାଗ ସେବାପାଇ ହୋଇଛି ବଡ଼ରେ ଗଣା ।
ବାଟରେ ଘାଟରେ କର୍ତ୍ତବ୍ୟ କ୍ଷେତ୍ରରେ ଥାଇ ସହକର୍ମୀ ସାଙ୍ଗ,
ନପାରିବା କାମ କରିପାରୁଛି ମୁଁ ନେଇ ତାଙ୍କ ସହଯୋଗ ।
ଜୀବନ ଦର୍ଶନ ଜୀବନର ଗାଥା କହିବାକୁ ମୋର ମନ,
ଜିଇଁବାର କଳା ଶିଖିବା ଏଥିରୁ ଦୂରେଇ ରହିବ ଭ୍ରମ ।
ଆମ ଜୀବନର ଅତି ସୂକ୍ଷ୍ମଯନ୍ତ୍ର ସହିପାରେ ବହୁକଷ୍ଟ,
ପରିଚାଳନାରେ ତ୍ରୁଟି କରୁଥିଲେ ହୋଇଯାଏ ସିଏ ନଷ୍ଟ ।
ଗର୍ବ ଅହଂକାର କ୍ରୋଧ ତା'ର ଶତ୍ରୁ କଳଙ୍କ ଲଗାଇ ଦିଏ,
କ୍ଷମା ଦୟା ସ୍ନେହ ଜାଳେଣି ତାହାର ଯତନେ ଚଲାଉଥାଏ ।
ପ୍ରେମ ହସ-ଖୁସି ପରଉପକାରେ ସେ ଯନ୍ତ୍ର କରେ ବିଶ୍ୱାସ,
ସଂଯମ ବିଶ୍ରାମ ସମର୍ପଣ ଭାବ ବଢାଏ ତା'ର ଆୟୁଷ ।
ଆମରି ଚେଷ୍ଟାରେ ଆଜିଦିନ ଯଦି ହୋଇ ନପାରେ ସୁନ୍ଦର,
କେମିତି କହିବା ଆଗାମୀ ଦିନ ବି ହେଇଯିବ ସୁଖକର ?1
ଜୀବନ ଗୋଟିଏ ଯାତ୍ରାପଥ ସତ ସମସ୍ୟା ଦୁଃଖ ତ ଅଛି,
ସମାଧାନ ହେବ ସକଳ ସମସ୍ୟା ସୁଖ ଗୋଟେଇବା ବାଛି ।
ସେ ଯାତ୍ରାପଥରୁ ମିଳିବ ଆମକୁ ସୁଖ-ଦୁଃଖ ଅନୁଭୂତି,
ସେ ଅନୁଭୂତିକୁ ଉପଭୋଗ କଲେ ହୋଇ ରହିଯିବ ସ୍ମୃତି ।
ସବୁବେଳେ ଯିଏ ଯିବାକୁ ପ୍ରସ୍ତୁତ ତାକୁ ହିଁ କହନ୍ତି ଜୀବ,
ମାଟିର ଘଟଟି ଜିଇଁରହେ ସିନା ଥିଲେ ପ୍ରାଣବିନ୍ଦୁ ଶିବ ।
ପଡ଼ିଗଲେ ଜୀବ ଉଠିପାରେ ନାହିଁ ଯନ୍ତ୍ରଣା କେବଳ ସାର,
ସୁନ୍ଦର ରୂପକୁ ଚିରି-ଫାଡ଼ି ଦେଖ ଭିତରେ କି ନାରଖାର ।