ଜୀବନ
ଜୀବନ
ଜୀବନ ପ୍ରତି ଯେ
ଏତେ ଲୋଭ ଏତେ ମୋହ ଥାଏ
ସବୁତ ପରିପ୍ରକାଶ ହୁଏ
ଶେଷ ବ୍ୟାକୁଳତା ରେ,
ସେଦିନ ଏକ ସୌମ୍ୟକାନ୍ତ ଯୁବକର
ଆଖିରେ ଥିଲା ନିରିହ
ହରିଣ ଶାବକର
ଭୀତ ତ୍ରସ୍ଥ ଚାହାଣୀ,
ସେ କହି ଚାଲିଥିଲା ସେ କେମିତି
ଏକ ସଦ୍ୟ ସବୁଜିମା ଭରା ଉଦ୍ୟାନ ଟିଏ,
ତା ବିନା ଜଳି ପୋଡ଼ି ଛାରଖାର
ହୋଇଯିବ ତା ଫୁଲ କୁସୁମିତ ଉଦ୍ୟାନ।
ଆକୁଳତା,ଆଶା ,ଉଦବେଗ୍ ଓ
ମିଥ୍ୟା ପ୍ରତିଶ୍ରୁତି ର ଏ ତ ହେଉଛି
ଏକସତ୍ୟ ଆତ୍ମ କାହାଣୀ।
ଡାକ୍ତର ବାବୁ ମୋତେ ବହୁତ ଡର ଲାଗୁଛି
ମୁଁ ଭଲ ହେଇ ଯିବିତ?
ମୋ ଜୀବନ ତ ଏଇ ଆରମ୍ଭ ହେଇଛି
ଘରେ ତିନି ବର୍ଷ ର ବିବାହିତା ପତ୍ନୀ
ଏଇତ ଏବେ ଏବେ ଆମେ
ସ୍ବପ୍ନ ଦେଖିବା ଆରମ୍ଭ କରିଛୁ
ଏଇତ ଏବେ ଏବେ ଆମେ
ପରସ୍ପର ପାଇଁ ବଞ୍ଚିବା ଶିଖିଛୁ।
ଆଶା ଆବେଗର ପ୍ରଜାପତି ଟି ତ
ଆମର ଏବେ ଏବେ ଡେଣା ମେଲାଇ ଉଡ଼ିବା ଶିଖୁଛି।
ଏବେ ଏବେ ତ ମୁଁ ସମାଜର
ରୋଜଗାର କ୍ଷମ ଯୁବକ
ଭାବରେ ସ୍ବୀକୃତି ପାଇଛି,
ବୃଦ୍ଧ ବାପା ମାଆ ଙ୍କର ବଡ଼ପୁଅ ମୁଁ
ତାଙ୍କ ଆଶା ଭରସା ହିଁ ତ ମୁଁ ,
ସେଥିପାଇଁ ମୋତେ ଡର ଲାଗୁଛି।
କାଳେ ମୋ ଜୀବନ ର ଉଲ୍କା
ପୃଥିବୀ ନିପତିତ ହୋଇ ପାଉଁଶ
ହୋଇ ଯିବନି ତ?
ମସ୍ତିଷ୍କ ରେ ଟ୍ୟୁମର ଧରି
ଅପରେସନ ପାଇଁ ଆସିଥିବା ଏକ ଯୁବକ ର
ଆକୁଳ ଓ ଅଶୃସଜଳ ଶ୍ଵାସରୁଦ୍ଧ
ପ୍ରଶ୍ନ ଥିଲା ସେ ଡାକ୍ତର ଙ୍କୁ।
ଏ ହେଉଛି ତାର ଅତୃପ୍ତ ଆତ୍ମାର ବିଳାପ।
ବିଳାପ ନୁହେଁ ଏକ ସତ୍ୟ
ଶୁଣି ଅଶୁଣାର ହୃଦ କଥା।
ଡାକ୍ତର ବାବୁ ଦେଇଥିଲେ
ଏକ ନିର୍ଭୀକ ଆଶା ପ୍ରଦ ଆଶ୍ଵାସନା।
ତାପରେ ତ ମୁଁ ଅଗ୍ରସର ହୋଇଥିଲି
ନୂତନ ଜୀବନ ର ସଂନ୍ଧାନରେ।
ଅସ୍ତ୍ରୋପଚାର ନିଶ୍ଚୟ କରିଦେବ
ମୋ ଅଭିଶପ୍ତ ଜୀବନରୁ ମୋତେ ମୁକ୍ତ।
କିଛି ସମୟର ବ୍ୟବଧାନ ରେ
ସରିଗଲା ମୋର ନୂତନ ଦିଗନ୍ତ ର
ସଂନ୍ଧାନରେ ଥିବା ହୃଦୟର ସଂଳାପ।
ମୁଁ ବାକ୍ ରୁଦ୍ଧ, ମୁଁ ଚେତାଶୂନ୍ୟ
ତାପରେ ମୁଁ ଶ୍ଵାସ ରୁଦ୍ଧ।
ଭେଣ୍ଟିଲେଟର ଧରି ରଖିଛି ମୋର କୃତ୍ରିମ
ଶ୍ଵାସ କ୍ରୀୟା କୁ।
ଅପେକ୍ଷା , ଅପେକ୍ଷା, ଅପେକ୍ଷା
ଆଶା ଆଶଙ୍କାର ଚକ୍ରବ୍ୟୁହ ଭିତରେ
ନିପତିତ ମୋର ଆତ୍ମୀୟ ସ୍ବଜନ
ଅଶୃସଜଳ ନୟନରେ ମୋତେ
ଚାହିଁ ରହିଛନ୍ତି ମୋର ବାପା, ବୋଉ, ଭାଇ ଓ ମୋର ପ୍ରାଣ ପ୍ରିୟା ପତ୍ନୀ।
ମୋ ରଙ୍ଗମଞ୍ଚ ର ଆଲୋକ ମାଳା ତ ଏବେ ସବୁ ନିଷ୍ପ୍ରଭ ।
ମୋ ଆଖିରେ କୋଟିଏ ସ୍ବପ୍ନର
ଅଠାଳିଆ ପରଳ ଏବେ ଆସ୍ତରଣ ଜମାଇ ସାରିଛି।
ମୁଁ ଦେଖୁଛି ମୁଁ ଅନୁଭବ କରୁଛି
କେମିତି ମୋତେ ଅଜଗର ସର୍ପ
କବଳିତ କରି ନେଉଛି ତାର ବାହୁ ବନ୍ଧନ ଭିତରକୁ।
ସମସ୍ତେ ଅପେକ୍ଷା ରତ ମୋ ଜୀବନ ର
ଶେଷ ଅସ୍ତରାଗର ଗୋଧୂଳି କୁ
ଯେଉଁଠି ଏକ ନିଷ୍ଠୁର ସତ୍ୟର ସତର୍କ ଘଣ୍ଟି ବାଜିଉଠିବ ବଜ୍ର ନିନାଦ ସ୍ବର ନେଇ।
ଆଉ ମୁଁ ମୁକ୍ତ ହୋଇ ଯିବି ଏ ଭେଣ୍ଟିଲେଟରର ଯନ୍ତ୍ରଣା ରୁ
ହେଲେ ମୁଁ ତ ଆସିଥିଲି ବଞ୍ଚିବାକୁ
ମୁଁ ବଞ୍ଚିବାକୁ ଚାହୁଁଛି।
ମୋ ପାଇଁ ଅସହ୍ୟ ହେବ ଏ ମହାକାଳ"ର ଦୀର୍ଘ ନିରବତା।
ମୋ ଜୀବନ ମୋତେ ଫେରାଇ ଦିଅ ଡାକ୍ତର ।
ଏଇତ ତମ ନୀଳ ସବୁଜ ପରଦା ଉହାଡକୁ
କିଏ ମୋ ଭାଇକୁ ଡାକି ନେଇ
ତା କାନରେ କହିଦେଉଛି
ମୁଁ କୁଆଡ଼େ ଆଉ ନୋ ମୋର"
ଡାକ୍ତର ଙ୍କ ମିଥ୍ୟା ପ୍ରତାରଣାର ପ୍ରତିଶ୍ରୁତିରେ ବିଶ୍ଵାସ କରି
ମୁଁ ହୋଇ ଗଲି ଆଜି ନିସ୍ବଃ।
ମୁଁ ତ ମନାକରି ନ ଥିଲି ତମ ପଞ୍ଚ ତାରକା
ହସ୍ପିଟାଲର ଚଢା ଦରର ବିଲ୍ କୁ
ପଇଠ କରିବି ନାହିଁ ବୋଲି?
ତାହାହେଲେ ଏ ଧୋକା କାହିଁକି?
ଦଶ ଲକ୍ଷ ନେଲା ପରେ କାହିଁକି
ମୋ ପାଖରୁ ଛଡାଇ ନେଲ
ମୋ ବାପା ,ମାଆ,ଭାଇ ଓ
ମୋ ସ୍ବାମୀ ସୋହାଗିନୀ ପତ୍ନୀକୁ ?
ମୋ ର ଆକୁଳ ନିବେଦନ ଶୁଣ
ମୋତେ ମୋର ଅମୂଲ୍ୟ ଜୀବନ
ଫେରାଇ ଦିଅ ଡାକ୍ତର,ଫେରାଇ ଦିଅ।
ମୁଁ ବଞ୍ଚିବାକୁ ଚାହୁଁଛି ।
ମୋତେ ଦରକାର ନାହିଁ ସ୍ଵର୍ଗଦ୍ଵାର
ମୁଁ ସେଠାକୁ ଯିବାକୁ ଚାହୁଁନାହିଁ।
ମୁଁ ଚାହେଁ କେବଳ ଏ ସୁନ୍ଦର ସଂସାର।
