ଜୀବନ ଯୁଦ୍ଧ
ଜୀବନ ଯୁଦ୍ଧ
ମୁଣ୍ଡ ରେ କୋଡ଼ିଏ କିଲୋ ବୋଝ
ଦିନକୁ ଦୁଇଶହ ଥର ଚଢ଼ିବାକୁ ପଡେ
ତଳ ମହଲାରୁ ଉପର ମହଲା
ଶେଷରେ ମିଳେ ଦି ଶହ ଟଙ୍କା ।
ଡାହାଣ ହାତରେ ଧରିଲି ଟଙ୍କା
ବାମ ହାତରେ ପ୍ୟାକେଟରୁ ବାହାରକଲି ଚିଠା
ଦେଖିଲି ଲମ୍ବା ତାଲିକା
ଘରଣୀ, ସାନ ପୁଅ , ମା'ର ବରାଦ ।
ଘରଣୀ ପାଇଁ ଘରକରଣା
ପୁଅ ଖୋଜେ ନାନା ରକମର ଖେଳଣା
ରୋଗିଣା ମାଆକୁ ଔଷଧ
ତାଲିକା ଦେଖିଲେ ଟଙ୍କା ହେଉଛି ଉଣା ।
ଆଖିରେ ଲୁହ, ମୁଣ୍ଡରେ ଚିନ୍ତା
ମାଲିକକୁ ମାଗିଲେ ଆଗୁଆ ପାଉଣା
ଗାଲି, ଗୁଲଜ, ନାଲୀ ଆଖି
କେତେ ସହିବାକୁ ପଡେ ଯନ୍ତ୍ରଣା ।
ଏ ଜୀବନ ଯୁଦ୍ଧ
କେବେ ହେବ ଅନ୍ତ
ହେବି ବିଜୟ? ନାଁ ପରାଜୟ
ମନରେ ଆସେ ଅସରନ୍ତି ପ୍ରଶ୍ନ
ମୁଣ୍ଡ ବି ଥକି ଗଲାଣି
କେତେ ଆଉ ସହିବ ବୋଝ ?
ମନର ଦୁଃଖ, ଛାତିର କୋହ
କେମିତି ଜିଇଁବି କୁହ ?