ଜୀବନ ଉଠ୍ କେହି ଜଣେ କବାଟ ବାଡୋଉଛି
ଜୀବନ ଉଠ୍ କେହି ଜଣେ କବାଟ ବାଡୋଉଛି
ଶବ ପାଇଁ ମୃତ୍ୟୁ ଏକ ସମ୍ରାଟ,
ଏକ ଈଶ୍ୱର ଏବଂ ଜଣେ ଅନ୍ତରଙ୍ଗ ବନ୍ଧୁ ।
ଯେତେବେଳେ ଜୀବନର ନଶ୍ୱର ଯାତ୍ରା ସରି ଯାଏ,
ମୃତ୍ୟୁ,
ଭିନ୍ନ ପୃଥିବୀର ସ୍ୱାଗତମ୍ ତୋରଣ ସାମ୍ନାରେ ଛିଡା ରହି;
ସ୍ମିତ ହାସ୍ୟ ଦେଇ ଅତିଥିକୁ ଅଭ୍ୟର୍ଥନା କରିବା ପରି,
ଆମନ୍ତ୍ରଣ କରେ ଶବ ର ଜୀବନକୁ
ଏକ ନିସ୍ତବ୍ଦ ବେଳାଭୂମିକୁ ।
ଯେଉଁଠି ଜୀବନ ଯାତ୍ରାର କ୍ଲାନ୍ତି ମେଣ୍ଟାଇବାକୁ,
ମୃତ୍ୟୁ ଦେଇଯାଏ ଏକ ଲମ୍ବା ସ୍ୱପ୍ନହୀନ ଶାଶ୍ୱତ ନିଦ ।
ନ ଥାଏ ସେଠାରେ ପକ୍ଷୀର ଚେଁ ଚାଁ ଶବ୍ଦ,
ନଥାଏ ସକାଳ ସୂର୍ଯ୍ୟର ନାରଙ୍ଗୀ ହସ ।
ଦିନେ ବନ୍ଦ ଘରର ଝରକା ଫାଙ୍କରେ;
ଜୀବନ ଦେଖିଥିଲା ଭୋର ଆକାଶର କୁଆଁତାରା,
ଓ କାକର ଭିଜା ରାତି ଉପରେ ଉଲକାପାତ ।
ଘୁଂଗୁଡି ଓ ନିଦ ଭିତରେ ଲୁଚି ରହି ଜୀବନ ସ୍ୱପ୍ନ ଦେଖିଥିଲା -
ବଂଚିବା ପାଇଁ ଯୁଦ୍ଧର କୋଳାହଳ , ତା' ବିଜୟର ତୁର୍ଯ୍ୟନାଦ ,
ତା' ଲୁହର ଓ ତା' ଆବେଗ ମାନଙ୍କ ଚିତ୍କାରର ।
ମୃତ୍ୟୁ ଆସି ଜୀବନର ନିଦ ଭାଙ୍ଗି ଦେଲା ,
କଞ୍ଚା ନିଦରୁ ଉଠି ଏବେ ତା'କୁ ଯିବାକୁ ପଡିବ,
ସେଇ ନିସ୍ତବ୍ଦ ବେଳାଭୂମିକୁ ।
ନିତିଦିନିଆ ଆଶାର ସୂର୍ଯ୍ୟୌଦୟ ଦେଖି ଦେଖି,
ଆଖି କ୍ଲାନ୍ତ ହୋଇ ଆସିଲାଣି ।
ବିରାଟ ଶୂନ୍ୟତା ମଧ୍ୟରେ ହଜେଇବା ଓ ପାଇବାର
ପ୍ରଖର ପ୍ରତିଧ୍ୱନିରେ, କାନକୁ ଶୁଭିବା ଅସ୍ପଷ୍ଟ ହୋଇ ଗଲାଣି ।
ବଂଚିବା ପାଇଁ ଛଳନାର ଶବ୍ଦ ମାନଙ୍କୁ
ଉଚ୍ଚାରଣ କରିବାକୁ, ପାଟି ଅମଙ୍ଗ ହେଲାଣି ।
ଠୁଳ କରିବାର ଯୋଜନା ସବୁ,
ପାଣ୍ଡୁର ବର୍ଣ୍ଣା ହୋଇ ମୁଣ୍ଡକୁ ବିବ୍ରତ କଲେଣି ।
ବୟସର ବୋଝକୁ କାନ୍ଧେଇ ନ ପାରି,
ଆତ୍ମା, ମୃତ୍ୟୁ ଆଡକୁ କଣେଇ କଣେଇ ଚାହିଁଲାଣି ।
ଏବଂ ଶିଶୁଟିଏ ପରି କ୍ଲାନ୍ତ ଶରୀର, ବିଛଣାଟିଏ ଖୋଜିଲାଣି ।
ହେ ମୃତ୍ୟୁ ! ମତେ ତୁମେ ସେଇ
ନିସ୍ତବ୍ଦ ବେଳାଭୂମିକୁ ନେଇଚାଲ, ଶୋଇବାକୁ !!
