Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.
Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.

kishore Nayak

Tragedy

3  

kishore Nayak

Tragedy

"ଜୀବନ ସନ୍ଧ୍ୟା "

"ଜୀବନ ସନ୍ଧ୍ୟା "

2 mins
25


ରାତିର ନୀରବତା ଭାଙ୍ଗି 

ସକାଳ ଆସେ 

ପୂରୁବ ଆକାଶେ ସୂରୁଜ ଆସନ୍ତି ଉଇଁ 

ପକ୍ଷୀ କାକଳିରେ ଗୁଞ୍ଜରିତ ହୁଏ ଏ ପ୍ରକୃତି 

ଫୁଲ ସବୁ ପାଖୁଡା ମେଲି ପଲ୍ଲବି ଉଠନ୍ତି 

କିଛି ନବୀନ ଆଶାର ସମ୍ଭାବନା ନେଇ 

ଦୂର ପାହାଡ଼ର ବକ୍ଷ ଭେଦି 

ଭାସିଆସେ ମୃଦୁ ମଳୟର ଶୀତଳ ସମୀରଣ 

ତଟିନୀର ଜଳ ରାଶିରେ ତରଙ୍ଗ ସୃଷ୍ଟି କରି l

ନିଶ୍ଚିନ୍ତ ନିଦ୍ରାର ଅଳସ ଭାଙ୍ଗି 

ଉଠିବସେ ଏ ଜୀବନ 

ଆଖି ଖୋଲି ଦେଖେ ତା'ର ଚତୁଃପାର୍ଶ୍ଵକୁ 

ଶୈଶବର ପହିଲି ପ୍ରାତଃରେ 

ଅବୋଧ ଶିଶୁଟିଏ ପରି ଏ ଦୁନିଆକୁ ଖାଲି ଚାହେଁ 

ହେଲେ କିଛି ବୁଝିପାରେନି 

କିଛିବି ତାକୁ ସ୍ପର୍ଶ କରେନି

ନା ଦୁଃଖ, ନା ସୁଖ, ନା ଲୋଭ, ନା ମାୟା 

ଖୁବ ଉଦ୍ଦାମତାରେ ଖେଳେ ବୁଲେ ଅଝଟ ନିଷ୍ପାପ ଶିଶୁଟିଏ ପରି 

ଖୁବ ଭଲ ଲାଗେ ତାକୁ ଏ ପୃଥିବୀଟା 

ନରମ ଶେଯଟିଏ ପରି l

ୟାରି ଭିତରେ ସମୟ ତା'ର ଗଡିଚାଲେ ଅବିରାମ ଗତିରେ 

ବିଧି ଆଉ ବିଧାନର ଦୋଛକିରେ 

ଶୈଶବ ଫେରିଯାଏ ତା'ର କାମ ସାରି l

ସୂରୁଜ ଧିରେ ଧିରେ ମୁଣ୍ଡ ଉପରକୁ ଉଠିଲା ପରି 

ମଧ୍ୟାହ୍ନ ଆସେ କୈଶୋରର ବିଗୁଲ ବଜାଇ 

ଯେତେ ଖୋଜିଲେବି 

ଆଉ ଫେରେନି ସେ ପିଲାଦିନ 

ଅଫେରା ଅତୀତଟିଏ ହୋଇ 

ଛାଡିଦେଇଯାଏ ଖାଲି, କିଛି ନଭୁଲିପାରିବାର ସ୍ମୃତି 

କୈଶୋରର ପହିଲି ସ୍ପର୍ଶରେ 

ଏ ଜୀବନ ଧିରେ ଧିରେ ବୁଝିବାକୁ ଆରମ୍ଭ କରେ

ସୁଖ, ଦୁଃଖ, ଲୋଭ, ମାୟାର ଆବେଗକୁ 

ଜ୍ଞାନ-ଅଜ୍ଞାନ, ପ୍ରବୃତ୍ତି-ନିବୃତ୍ତି, ବିବେକ, ଚିନ୍ତା ଆଉ ଭାବନାର 

ଚକ୍ରବ୍ୟୁହ ଭିତରକୁ ଆପେ ଆପେ ପଶିଯାଏ 

ଆଦର୍ଶବାଦର ଶାଳୀନତାକୁ ଚରିତ୍ରାୟୀତ କରିବାକୁ ପ୍ରୟାସ କରେ 

ସ୍ବପ୍ନ ଦେଖେ ଭବିଷ୍ୟତର ବ୍ୟକ୍ତିତ୍ୱ ଗଢିବାକୁ 

ଆଦର୍ଶବାଦର କଥା କହେ 

କିନ୍ତୁ ସେପଟେ ପ୍ରବୃତ୍ତି ସହିତ ସାଲିସ କରେ 

ପ୍ରବୃତ୍ତିର ଅବଦମିତ ମୋହ ଧିରେ ଧିରେ ବିମୋହିତ କରି ବସେ 

ଖୁବ ଭଲ ଲାଗେ ତାକୁ ଏ ପ୍ରବୃତ୍ତି 

ଇଛା ହୁଏ ବିବେକକୁ ଧକ୍କା ମାରି ଚାଲିଯିବାକୁ 

ଉପଭୋଗର ବାସନା ଜାଗିଲା ବେଳକୁ 

ଏ ବିବେକଟା ଆସି କାହିଁକି ବାଧା ସୃଷ୍ଟି କରେ କେଜାଣି? 

ଏ କଥା ଭାବିଲେ 

କ୍ରୋଧରେ ଜର୍ଜରିତ ହୁଏ ଏ ଶରୀର 

ସବୁ ଆଦର୍ଶବାଦର କଥାକୁ ଅଳିଆଗଦାକୁ ଫିଙ୍ଗିଦେଇ 

ମଥାଟେକି କଥା କହିବାକୁ ଆରମ୍ଭ କରେ ଏ ଜୀବନ

ସମୟ ଘଡିରେ ବୟସ ବଢିଚାଲେ 

ୟାରି ଭିତରେ କୈଶୋର ଚାଲିଯାଏ ତା' ବାଟରେ ସୁନା ପିଲା ପରି 

କିଛି ନଜାଣିଲା ପରି 

ପ୍ରବୃତ୍ତିର ସ୍ୱାଦ ଚଖାଇ ଦେଇ l

ଅପରାହ୍ନର ନିଛାଟିଆ ଖରାବେଳ ପରି ଯୌବନ ଆସେ 

ଏ ଶରୀର ବକ୍ଷରେ ଅସହ୍ୟ କାମନାର ଜ୍ୱାଳା ଆଉ ଉନ୍ମାଦନା ଭରି 

ଖୁବ ଭଲ ଲାଗେ ତାକୁ ଏ ନିର୍ଜନତା 

କୈଶୋରର ଆଦ୍ୟ ଆଷାଢ଼ରେ 

ପ୍ରବୃତ୍ତିର ସ୍ୱାଦ ଚାଖିଥିବା ଏ ଜୀବନ 

ଶୈଶବ, କୈଶୋର ପରି 

ଆଉ ଡରେ ନାହିଁ ଅନ୍ଧକାରକୁ 

ବରଂ ଅନ୍ଧକାର ସହିତ ତା'ର ସୃଷ୍ଟି ହୁଏ ନିବିଡ଼ତା 

ନିର୍ଜନତାର ଆବେଗ ଭିତରେ 

ପ୍ରବୃତ୍ତି ସହିତ କିଛି ସମୟ ବିତାଇବାକୁ

ଏ ଜୀବନ ଘୁରିବୁଲେ ଚାରିଆଡେ 

ଅନ୍ଧକାର ଆଉ ନିର୍ଜନତାର ସଂଯୋଗରେ 

ତା ଭିତରେ ମୁଣ୍ଡ ଟେକି ଉଠେ ପ୍ରବୃତ୍ତିର ତୃଷ୍ଣା ଅମାନିଆ ଢେଉ ପରି l

କାମନାର ଜ୍ୱାଳା ଭିତରେ 

ଆଲୋକ ପାଲଟିଯାଏ ତା'ର ପରମ ଶତ୍ରୁ 

ବିକଚ ଯୌବନର ଆଦ୍ୟ ସ୍ପର୍ଶରେ 

ସମୁଦ୍ରରେ ଲହଡି ଭାଙ୍ଗିଲା ପରି 

ପଥଚ୍ୟୁତ ହୁଏ ଏ ଜୀବନ 

ଭୁଲିଯାଏ ଭୁଲ-ଠିକର ବିଚାର ଧାରା 

ଖଣ୍ଡା ଧାରରେ ଚାଲିଲା ପରି 

ଉଦ୍ଦାମ ଯୌବନର ଭାର ବୋହି

ଏ ଜୀବନ ଚାଲେ ସମୟର ପଥ ପରେ 

ଟିକେ ବିଚ୍ୟୁତ ହେଲେ ଭବିଷ୍ୟତ ହୁଏ ତମସାଚ୍ଛନ୍ନ 

କ୍ଷଣିକ ଉନ୍ମାଦନାର ମୁର୍ଖତା ଭିତରେ 

ଭବିଷ୍ୟତ ହୁଏ ନଷ୍ଟ 

ଏ ଦୁର୍ଲ୍ଲଭ ଜୀବନ ହୁଏ ବରବାଦ 

ବିବେକ ଆଉ ପ୍ରବୃତ୍ତିର ଦୋଛକିରେ 

ନିଜର ରାସ୍ତା ନିର୍ଣ୍ଣୟ କରୁ କରୁ

ଯୌବନ ଚାଲିଯାଏ ତା' ବାଟରେ ଅସ୍ତମିତ ସୂର୍ଯ୍ୟ ପରି 

ଧିରେ ଧିରେ ବେଳ ବୁଡିଆସେ 

ପଶ୍ଚିମ ଆକାଶେ ସୂର୍ଯ୍ୟ ଲୁଚିଯାନ୍ତି ମୁରୁକା ହସଟିଏ ହସି ଦେଇ l

ଦିବସର ଅନ୍ତିମ ସମୟରେ ସନ୍ଧ୍ୟା ଆସିଲା ପରି 

ବାର୍ଦ୍ଧକ୍ୟ ଆସେ ଏ ଜୀବନର ଶେଷ ମୁହୂର୍ତ୍ତରେ 

ଶୈଶବ, କୈଶୋର ଆଉ ଯୌବନର ପଥ ଅତିକ୍ରମ କରି 

ଜୀବନ ଯାତ୍ରାର ଏଇ ବନ୍ଧୁର ପଥରେ ଚାଲି ଚାଲି 

କ୍ଲାନ୍ତ ହୋଇ ପଡେ ଏ ଶରୀର 

ଆଉ ଆଗ ଭଳି 

ନା ଥାଏ ଉଦ୍ଦାମତା, ନା ଥାଏ ଉନ୍ମାଦନା 

ଥାଏ ଖାଲି ଥକି ପଡ଼ିବାର ଅବଶତା ଆଉ 

କ୍ଲାନ୍ତସିକ୍ତ ପ୍ରାଣର ଶୀଥିଳତା 

ଆରମ୍ଭ ହୋଇଯାଇଥାଏ ଯାବତୀୟ ରୋଗମାନଙ୍କର ଉପଦ୍ରବ 

ଏ ଜରାଗ୍ରସ୍ତ ଶରୀର ଉପରେ l

ଯିବା ଆସିବାର ଏଇ ଦିଦିନ ବାଟରେ 

ଏନ୍ତୁଡ଼ିଶାଳର ନିଆଁ ଠାରୁ ଶ୍ମଶାନର ଜୁଇ ପର୍ଯ୍ୟନ୍ତ 

ଜଣେ ତ ସାକ୍ଷୀ 

ତାଙ୍କରି ଅଭୟ ପାଦରେ ମଥାନତ କରି 

ଏ ଜୀବନ କହେ 

ହେ ପ୍ରଭୁ, 

ଏ ଜୀବନରେ ଯେବେ ମୋର ଆସିବ ସନ୍ଧ୍ୟା 

ସେଇ ସନ୍ଧ୍ୟା ହେଉ ତୁମ 

ଭଜନ ସନ୍ଧ୍ୟା l



Rate this content
Log in

Similar oriya poem from Tragedy