ଜୀବନ ପଥର ସାଥୀ
ଜୀବନ ପଥର ସାଥୀ
ଜୀବନର ଚଲାପଥରେ
ଦେଖାହୁଏ ଅନେକ ସାଥୀ
କିଏ ଅଧା ବାଟରେ ତ କିଏ ଚାରିପାଦ ପରେ
ଦେଖା ହୋଇ ଥାଆନ୍ତି
ବେଳେ ବେଳେ ନିକାଞ୍ଚନ ଚଲାପଥରେ
ସାଥୀଟିଏ ଭେଟ ହୁଏ
ଆଉ ସାରା ଜୀବନ
ସାଥିରେ ଚାଲିବାର ପ୍ରତିଶ୍ରୁତି ଦିଏ ।
ଜନମି ଥାଏ ଏକ ନୂତନ ସମ୍ପର୍କ
ନାମହୀନ ଭଳି
ଥାଏ ଶବ୍ଦକୋଷରେ
ନା ହୃଦୟମନ୍ଦିରେ ।
ସମ୍ପର୍କ ଯେ କେବଳ ରକ୍ତରୁ
ବା ଚିହ୍ନା ମୁହଁରୁ ହୋଇଥାଏ
ଲେଖା ନାହିଁ କେଉଁଠି
ବେଳେବେଳେ ଅଜଣା ଅଶୁଣା
ଅପରିଚିତ ବି ଆପଣାର ଲାଗେ ।
ପାଦ ଅଟକି ଯାଏ ସେଠି
ସାଥୀ ହୋଇ ଚାଲିବାକୁ ଇଚ୍ଛା ହୁଏ
ଆନମନା ଲାଗେ
ଭିଡ଼ରେ ଭାବରେ ଖୋଜେ ସେହି
ଅଚିହ୍ନା ମୁହଁକୁ ।
ନା ଭୋକ ନା ଶୋଷ ହୁଏ
ଖାଲି ଯାହା ଆଖି ଖୋଲି
ଅନୁଭବ କରିହୁଏ
ପାଏ ଅଜାଣତେ ଶୀତଳ ସ୍ପର୍ଶ
ଉନ୍ମାଦିତ ଦେହ ଆଉ ମନ ।
ଉଙ୍କି ମାରେ ଅଶୁମାରୀ ଆଶା
ଭାବନା ରାଇଜରେ ନିତି ଭାସେ
କଳ୍ପନା ବିଳାସି ମନଟା ହଜିଯାଏ
କେଉଁଠି କେତେବେଳେ
କାହା ପାଖରେ ଅଟକି ଯାଏ
ଖୋଜିଲେ ମିଳେନି
ମିଳିଲେ ବି ଆଉ ଫେରେନା
ଅମଡ଼ା ପଙ୍କିଳ ପଥରୁ ।
ଫେରିବାକୁ ଇଚ୍ଛା ଥିଲେ ବି
ପାଦ ତା'ର ଥକିଯାଏ ସେଠି
ଜଣା ନାହିଁ ସେ ପଥ ତା'ର
କଣ୍ଟକିତ ନା ପୁଷ୍ପିତ
ଭାଗ୍ୟକୁ ଆଦରି ଆପଣେଇ ନିଏ ।

