ଜୀବନ ପଥ
ଜୀବନ ପଥ
ଅଢେଇ ଦିନିଆ
ଅଟେ ଏ ଦୁନିଆ
ଆଉ ଶୋଇରୁହ ନାହିଁ,
ଚାଲିବାକୁ ହେବ
ଜୀବନର ପଥ
ବେଳତ ଅଣ୍ଟିବ ନାହିଁ ।
ପ୍ରତିଚୀ ଗଗନୁ
ପ୍ରଭାତୀ କିରଣ
ବାତାୟନ ଫାଙ୍କେ ଆସି,
ଡାକିଲାଣି ଉଠ
ଅମୃତ ସନ୍ତାନ
ପାହିଲାଣି ଆଶି ନିଶୀ ।
ତୋ ବୃଦ୍ଧା ଜନନୀ
କରିଛି ଅପେକ୍ଷା
ତୋ ସ୍ନେହ ପରଶ ପାଇଁ,
ବୟସ ଚାପରେ
ଉଠେନି ଜନକ
ଆଶାବାଡି ହୁଅ ଯାଇ ।
ତୋ ଜନମ କାଳୁ
ଏ ସମାଜ ତୋତେ
ଦେଇ ଆସିଛି ସୁରକ୍ଷା,
ଅତ୍ୟାଚାର ଆଉ
ଦୁର୍ନୀତି କବଳୁ
ସମାଜକୁ କର ରକ୍ଷା ।
ତୋ ଶରୀରେ ଯେଉଁ
ପବନ ବହୁଛି
ତୋ ରକତେ ଯେଉଁ ଜଳ,
ସବୁ ପରା ଏଇ
ପରିବେଶ ଦାନ
ରଖ ତାକୁ ନିରିମଳ ।
କଳୁଷିତ ଆଜି
ଚିନ୍ତା ଓ ଚେତନା
ମୂଲ୍ୟବୋଧ ଅବକ୍ଷୟ,
ଖାଲି ଆକ୍ଷରିକ
ଶିକ୍ଷା ସହଯୋଗେ
କିପରି ହେବ ବିଜୟ!
ଜନକ ଜନନୀ,
ପରିବେଶ ଆଉ
ଏହି ସମାଜର ଋଣ,
ନ ଶୁଝି ପାରିଲେ
କି ଲାଭ ଜୀବନେ
ସବୁ ଅଟେ ଅକାରଣ ।
ଏ ଅଢେଇ ଦିନ
କେତେବେଳେ ଯିବ
ଜଣାତ ପଡିବ ନାହିଁ,
ଶୋଇ ରୁହନାହିଁ
ଶୀଘ୍ର ଉଠି ଆସ
ବେଳତ ପାଇବ ନାହିଁ ।
ନକର ଶୋଚନା
ବହିଗଲା ପାଣି
ଗଲାଣିତ ବହିଯାଉ,
ବାକି ଅଛି ଯେଉଁ
ବଳକା ଜୀବନ
ତା ଅପଚୟ ନହେଉ ।
କଲେ ପିତାମାତା,
ସମାଜର ସେବା
ଆଉ ପରିବେଶ ରକ୍ଷା,
ବିଭୁ ଶ୍ରୀପୟରେ
ସମାଜ ମାଗିବ
ତୋ ପରି ସନ୍ତାନ ଭିକ୍ଷା ।