ଜୀବନ ଓ ଶୃଙ୍ଖଳା
ଜୀବନ ଓ ଶୃଙ୍ଖଳା
ଶୃଙ୍ଖଳା ବିନା ଏ ଜୀବନେ କି କେହି
ସଫଳ ହୋଇଛି କେବେ
ଶୃଙ୍ଖଳା ଟି ଏକ ଦର୍ପଣ ପରାଏ
କର୍ମ ଦିଶେ ପ୍ରତିବିମ୍ବେ ll
ଶିଶୁ ବେଳୁ ଶିକ୍ଷା ପାଇଲେ ଜୀବନେ
ଲକ୍ଷ୍ୟ ହେବ ଫଳପ୍ରଦ
ଏଥି ପାଇଁ ଲୋଡ଼ା ଶ୍ରମ ଓ ସାଧନା
ଇଚ୍ଛାଶକ୍ତି ପ୍ରତିବଦ୍ଧ ll
ସମୟାନୁବର୍ତ୍ତୀ ନମ୍ର ବ୍ୟବହାର
ସ୍ୱଚ୍ଛତା ଅଟଇ ଶ୍ରେୟ
ଗୁରୁ ଗୁରୁଜନେ ସମ୍ମାନ ବାଣ୍ଟିଲେ
ସବୁଠି ହୋଇବ ଜୟ ll
ଛାତ୍ର ଜୀବନରୁ ବିଶୃଙ୍ଖଳା କଲେ
ନଷ୍ଟ ହେବ ଏ ଜୀବନ
ବହୁ ଜନମର ପୁଣ୍ୟ ଫଳରେ
ଲଭି ମାନବ ଜନମ ll
ସଞ୍ଜ ସକାଳରେ ଦେବତା ସ୍ମରଣେ
ଦିନ କଟିଯାଉ ଶୁଭେ
ଭଲ ମନ୍ଦ କିଛି ଶିଖିବା ଜୀବନେ
ଦାଣ୍ଡେ ଚାଲିବାକୁ ଗର୍ବେ ll
ନିଶା ପାଣି ଠାରୁ ଦୂରେଇ ରହିବା
ସୁଜନଙ୍କୁ କରି ବନ୍ଧୁ
ଦୃଢ଼ ମନୋରଥେ ଆଗକୁ ବଢ଼ିବା
ଲଙ୍ଘିଯିବା ସାତ ସିନ୍ଧୁ ll
ପାପଠୁ ଦୂରେଇ ପାପୀକୁ କୋଳେଇ
ସୁପଥକୁ ନେବା ଟାଣି
କହିଥିଲେ ଯାହା ଦେଶର ଜନକ
ମହାତ୍ମା ଗାନ୍ଧୀଙ୍କ ବାଣୀ ll