ଜୀବନ ଓ କର୍ମ
ଜୀବନ ଓ କର୍ମ
କେତେ କେତେ ଖେଳ ଖେଳଇ ସମୟ କାଳ ସଙ୍ଗେ ଦେଇ ତାଳ,
ଜୀବନ ସାଗର ପାରି ହୁଏ ଜୀବ ପାଏ ନାହିଁ ଥଳ କୁଳ ।
ଜନମିଲା ଯେବେ ଶିଖିଲା ସେ କର୍ମ ନୌକା ଚାଳନାର ପାଠ,
ଶିଖୁ ଶିଖୁ ପୁଣି ବଡ଼ ହୋଇ ଭୁଲେ ଭାବି ସେ ନିଜକୁ ଶ୍ରେଷ୍ଠ ।
ବସେ ଏକା ଏକା ସେ ତା ନୌକା ରେ କେହି ତ ନ ରୁହନ୍ତି ସାଥେ,
ଜୀବନ ସାଗର ପାରି ହେବ ବୋଲି ଧରି କାତ କୁ ସେ ହାତେ ।
ଯେବେ ଦେଖେ ସେ ଗଭୀର ଜଳରେ ଭାସୁଅଛି ତା କର୍ମ ନାଆ,
ପାରି ହେବା ପାଇଁ ଶ୍ରେସ୍ଠତ୍ୱ ଭୁଲି ଖୋଜେ କିଛି, ହେବାକୁ ଶାହା ।
ତେବେ ମନେ ପଡେ କିଛି ଶିକ୍ଷା ଦୀକ୍ଷା କଥା ଧରି କର୍ମ ମଙ୍ଗ,
କର୍ମ ବଢି ଚାଲେ ଜୀବନ ସାଗରେ, ଧର୍ମ ହୋଇଥାଏ ସାଙ୍ଗ ।
ଜୀବନ ସାଗରେ ଭିନ୍ନ ଭିନ୍ନ କୁଳ ଲକ୍ଷ ରୂପେ ରହିଥାଏ,
ସତ୍ୟ ମିଥ୍ୟା ନ୍ୟାୟ ଅନ୍ୟାୟ ଦୟା ତା ସଙ୍ଗେ ଯୋଡି ହୋଇଥାଏ ।
ସେଥିପାଇଁ କର୍ମ ନୌକା ଯାଇ ଅନୁରୂପ କୂଳେ ଲାଗି ଯାଏ,
ଲକ୍ଷ ଥାଏ ଅନ୍ୟ, କିନ୍ତୁ ଭିନ୍ନ ଲକ୍ଷ ପଥ ତାକୁ ମିଳିଥାଏ ।
ସେଥିପାଇଁ କେହି ଅବସାଦ ମନେ ଅନେକ ଯନ୍ତ୍ରଣା ପାଏ,
ଭୁଲେ ତା କର୍ମ ନୌକା ଦୋଷ, ଜୀବନ ସାଗର କୁ ଦୋଷ ଦିଏ ।
ଭୁଲେ ସେ ଯେ ତା ଜୀବନ ସାଗର ଖାଲି ଅଟେ ଏକା ତାହାର,
ବାଛିବାକୁ ହୁଏ ତାକୁ କର୍ମ ନୌକାକୁ, ସାଥୀ ସେ ଲକ୍ଷପଥର ।
ଜୀବନ ଓ କର୍ମ ଦୁହେଁ ଭିନ୍ନ ଭିନ୍ନ, ଖେଳ ସବୁ ସମୟର,
ପାଇ ତ ଜନ୍ମ ଆଦରିଲେ ସତ୍ୟ ଧର୍ମ, ସବୁ ହୁଏ ସାକାର ।
ବେଳେ ବେଳେ କେହି ଜନ୍ମ ନେଇ ଖୋଜେ ଖାଲି ତାର ଅଧିକାର,
ଭୁଲେ ସବୁ କିଛି, ଜୀବନ ପାଇଁ କର୍ମ କୁ କରେ ନା ସ୍ୱୀକାର ।
ଯୋଡି ଦିଏ ଜୀବନ ଓ କର୍ମ, ଭାବେ ଜନ୍ମ ସିଦ୍ଧ ଅଧିକାର,
ଜୀବନ ଜୀବିକା ଅଟେ ତାର ସାହା ଏଠି ତା ଲକ୍ଷପଥର ।
ଜୀବନ ସାଗର ପାରି ହୋଇ ଲାଗିବ ନିଜ ଲକ୍ଷ କୂଳରେ,
ସତ୍ୟ ଧର୍ମ ବଳେ ଯଦି ବସିବ ସେ ସଠିକ କର୍ମ ନୌକାରେ ।